ଗୁରୁଗ୍ରାମ: ବିଦେଶୀ ମୁଦ୍ରା କାରବାର ଏବଂ ମୋବାଇଲ୍ ଫୋନର ଜାଲ୍ ରପ୍ତାନି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଞ୍ଜାବର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜନେତା ସଞ୍ଜୀବ ଆରୋରାଙ୍କ ଅଡୁଆ ବଢ଼ିଛି। ଗୁରୁଗ୍ରାମର ଏକ ଜିଲ୍ଲା ଏବଂ ସେସନ୍ସ କୋର୍ଟ ତାଙ୍କୁ ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ହେପାଜତକୁ ପଠାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୀବ ଆରୋରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଇଡି ପକ୍ଷରୁ ୧୦ ଦିନର ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ, କୋର୍ଟ ସାତ ଦିନର ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୋଗଗୁଡ଼ିକ ଅତ୍ୟନ୍ତ ଗମ୍ଭୀର ଏବଂ ଅର୍ଥର କାରବାର (Money Trail) ରହସ୍ୟ ଖୋଲିବା ପାଇଁ ତାଙ୍କୁ ଜେରା କରିବା ଆବଶ୍ୟକ।

ସଞ୍ଜୀବ ଆରୋରାଙ୍କ ସଂସ୍ଥା ‘ହ୍ୟାମ୍ପଟନ୍ ସ୍କାଏ ରିୟଲିଟି ପ୍ରାଇଭେଟ୍ ଲିମିଟେଡ୍’ (Hampton Sky Realty Pvt Ltd) ମାଧ୍ୟମରେ ମୋବାଇଲ୍ ଫୋନ୍ ରପ୍ତାନି ନାଁରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୧୫୭ କୋଟି ଟଙ୍କାର ମୋବାଇଲ୍ ବିକ୍ରି ଦର୍ଶାଇଛି। ଏଥିମଧ୍ୟରୁ ପ୍ରାୟ ୧୦୨ କୋଟି ଟଙ୍କା ଦୁବାଇର ଦୁଇଟି ଫର୍ମକୁ ପଠାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଯେଉଁ କମ୍ପାନୀଗୁଡ଼ିକ ଠାରୁ ମୋବାଇଲ୍ କିଣାଯାଇଥିବା ଦର୍ଶାଯାଇଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ କେବଳ କାଗଜପତ୍ରରେ ସୀମିତ କିମ୍ବା ଶେଲ୍ କମ୍ପାନୀ। ଏପରିକି ଅନେକଙ୍କର GST ପଞ୍ଜୀକରଣ ମଧ୍ୟ ବାତିଲ୍ ହୋଇଯାଇଛି। ସଞ୍ଜୀବଙ୍କ ପୁଅ କାବ୍ୟ ଆରୋରା ଇଡିକୁ ଜଣାଇଛନ୍ତି ଯେ ତାଙ୍କ ପରିବାର ମୁଖ୍ୟତଃ ରିୟଲ୍ ଇଷ୍ଟେଟ୍ ବ୍ୟବସାୟ କରେ ଏବଂ ମୋବାଇଲ୍ ରପ୍ତାନି ବିଷୟରେ ତାଙ୍କର କୌଣସି ବିଶେଷ ଧାରଣା ନାହିଁ।

ଇଡି ବର୍ତ୍ତମାନ ଏହି ଅର୍ଥ କେଉଁ ସୂତ୍ରରୁ ଆସିଲା ଏବଂ କିପରି ଏହାକୁ ବିଦେଶ ପଠାଯାଇଛି, ସେ ସମ୍ପର୍କରେ ତଦନ୍ତ କରୁଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ସଞ୍ଜୀବ ଆରୋରାଙ୍କୁ ତାଙ୍କ ଓକିଲ ଭେଟି ପାରିବେ ଏବଂ ନିୟମିତ ବ୍ୟବଧାନରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ।