କଲିକତା: ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ହିଂସା ଓ ରକ୍ତପାତର ଖବର ସାଧାରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ବିଶେଷ କରି ହୁଗଳି ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ (TMC) ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ପୂର୍ବ ମେଦିନୀପୁରରେ ବ୍ୟାପକ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଘଟିଛି।
ହୁଗଳି ଜିଲ୍ଲା ନକୁଣ୍ଡା ପଞ୍ଚାୟତର କୋଟା ଗାଁରୁ ଟିଏମସି ନେତା ସହଦେବ ବାଗ୍ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରୁ ସହଦେବ ନିଖୋଜ ଥିଲେ। ରବିବାର ସକାଳେ ସ୍ଥାନୀୟ ପାର୍ଟି ଅଫିସ ପଛପଟେ ଥିବା ଏକ ନାଳରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।
ସହଦେବଙ୍କ ମୁହଁ ଓ ନାକରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ କୌଣସି ଶକ୍ତ ବସ୍ତୁରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ପୁଲିସ ଏକ ‘ଗଦା’ ଉଦ୍ଧାର କରିଛି, ଯାହାକୁ ହତ୍ୟା ଅସ୍ତ୍ର ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସେହି ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ତଦନ୍ତ ଜାରି ରହିଛି।
ମୃତ ସହଦେବଙ୍କ ସ୍ତ୍ରୀ ଛେନା ବାଗ, ଯିଏ କି ନକୁଣ୍ଡା ପଞ୍ଚାୟତର ଜଣେ ଟିଏମସି ସଦସ୍ୟା, ସେ ଏହାକୁ ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ମିଳୁଥିଲା। ଏହି ହତ୍ୟାକାଣ୍ଡ ପଛରେ ବିଜେପି ସମର୍ଥକଙ୍କ ହାତ ଥିବା ସେ ଦୃଢ଼ ଦାବି କରିଛନ୍ତି।
ହିଂସାର ନିଆଁ କେବଳ ହୁଗଳିରେ ସୀମିତ ରହିନାହିଁ। ପୂର୍ବ ମେଦିନୀପୁରର ଖେଜୁରି ଅନ୍ତର୍ଗତ ହିଜଲି ସରିଫ ଗାଁରେ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ନୂଆ ସରକାରଙ୍କ ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ମଧ୍ୟରେ କିଛି ଦୁର୍ବୃତ୍ତ ସ୍ଥାନୀୟ ବଜାର ଉପରେ ଆକ୍ରମଣ କରି ବହୁ ଦୋକାନ ପୋଡ଼ି ଦେଇଛନ୍ତି। ଏଥିରେ ଅନେକ ବ୍ୟବସାୟୀଙ୍କ ଜୀବିକା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।ବର୍ତ୍ତମାନ ପୁଲିସ ସିସିଟିଭି ଫୁଟେଜ୍ ଏବଂ ସ୍ଥାନୀୟ ଲୋକଙ୍କ ବୟାନକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି। ରାଜ୍ୟରେ ଏଭଳି ଅରାଜକତା ଯୋଗୁଁ ସାଧାରଣ ଜନତା ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।




