ହିଞ୍ଜିଳିକାଟୁ: ରାଜ୍ୟରେ ଏବେ ଚୋର ଓ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏପରିକି ଭଗବାନଙ୍କ ମନ୍ଦିରରୁ ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି ଅସାମାଜିକ ବ୍ୟକ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋଚିଲିମା ଛକରେ ଥିବା ପ୍ରସିଦ୍ଧ ‘ସାଇ ସୁନ୍ଦର ଧାମ୍’ ମନ୍ଦିରରୁ ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସାଇ ବାବାଙ୍କ ସୁନା ଓ ରୁପା ଅଳଙ୍କାର ସମେତ ମୂଲ୍ୟବାନ ମୁକୁଟ ଓ ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ ଲାଗିଥିବା CCTV ଫୁଟେଜ୍କୁ ଆଧାର କରି ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।
ପୋଲିସର ଢିଲା ପାଟ୍ରୋଲିଂ ବ୍ୟବସ୍ଥା ଯୋଗୁଁ ଅଞ୍ଚଳରେ ଚୋରି ଓ ଅପରାଧିକ ମାମଲା ବଢୁଥିବା ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ମଧ୍ୟ ସମାନ ଢଙ୍ଗରେ ଲୁଟ୍ ହୋଇଥିଲା। ୭ ବର୍ଷ ଧରି ଖୋଲାଯାଇନଥିବା ହୁଣ୍ଡିରୁ ବିପୁଳ ପରିମାଣର ଟଙ୍କା ଓ ପିତ୍ତଳ ବାସନ ଲୁଟ୍ ହୋଇଥିଲା।




