ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳିକା ନିଖୋଜ ଓ ଚୋରି ମାମଲାର ତଦନ୍ତ ସମୟରେ ଜଣେ ଅଭିଯୁକ୍ତ ପୁଲିସ ଷ୍ଟେସନରେ ହଠାତ୍ ଲକରର ଚାବି ଗିଳି ଦେଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପରେ ତାଙ୍କୁ ୧୦ କିଲୋଗ୍ରାମ କଦଳୀ ଖୁଆଇ ଚାବିଟି ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଘଟଣାଟି ବେଙ୍ଗାଲୁରୁର ମଦନାୟକାନାହଲ୍ଲୀ ଥାନାରେ ଘଟିଥିଲା। ଏପ୍ରିଲ ୨୪ ତାରିଖରେ ଜଣେ ନାବାଳିକା ନିଖୋଜ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଟାୱାର ଲୋକେସନ ଆଧାରରେ କାର୍ତ୍ତିକ ଓରଫ୍ ରାମୁ ନାମକ ଯୁବକଙ୍କୁ ଚିହ୍ନଟ କରି ପଚରାଉଚରା ପାଇଁ ଥାନାକୁ ଆଣାଯାଇଥିଲା।
ପଚରାଉଚରା ବେଳେ ପୁଲିସ ତାଙ୍କ ବିରୋଧରେ ପୋସ୍କୋ ଆଇନ ଅନୁଯାୟୀ ଗୁରୁତର ମାମଲା ରୁଜୁ ହୋଇପାରେ ବୋଲି ସତର୍କ କରିଥିଲା। ଏହା ଶୁଣିବା ପରେ ଅଭିଯୁକ୍ତ ଭୟଭୀତ ହୋଇ ପୁଲିସ ଷ୍ଟେସନରେ ରହିଥିବା ଲକରର ଚାବିକୁ ହଠାତ୍ ଗିଳିଦେଇଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ପରେ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ।
ତିନି ଦିନ ଧରି ଡାକ୍ତର ଓ ପୁଲିସ ନିରୀକ୍ଷଣରେ ତାଙ୍କ ଚିକିତ୍ସା ଚାଲିଥିଲା। ଚାବିଟି ସ୍ୱାଭାବିକ ଭାବେ ଶରୀରରୁ ବାହାରିବ ବୋଲି ଡାକ୍ତରମାନେ ଆଶା କରୁଥିଲେ। ଶେଷରେ ଅଭିଯୁକ୍ତଙ୍କୁ ପ୍ରାୟ ୧୦ କିଲୋଗ୍ରାମ କଦଳୀ ଖୁଆଇବା ପରେ ଚାବିଟି ମଳତ୍ୟାଗ ମାଧ୍ୟମରେ ବାହାରିଥିଲା। ପୁଲିସ ଏହାକୁ ଉଦ୍ଧାର କରିଛି।
ଘଟଣାଟି ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଥିବା ବେଳେ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।




