ରାୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୪ତମ ମ୍ୟାଚ୍‌ରେ ଦର୍ଶକଙ୍କୁ ଭରପୂର ରୋମାଞ୍ଚ ଦେଖିବାକୁ ମିଳିଛି। ଶେଷ ବଲ୍‌ ପର୍ଯ୍ୟନ୍ତ ଗଡ଼ିଥିବା ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨ ରନ୍‌ରେ ମୁମ୍ବାଇକୁ ପରାସ୍ତ କରିଛି। ରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ୨୦ ଓଭରରେ ୮ ୱିକେଟ୍‌ ହରାଇ ଜିତିବା ପାଇଁ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା।

୧୬୭ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଆରମ୍ଭ ଖୁବ ଖରାପ ରହିଥିଲା। ବିରାଟ କୋହଲି ଖାତା ଖୋଲିପାରି ନଥିବା ବେଳେ ଦେବଦୂତ୍ତ ପଡ୍ଡିକଲ ୧୨ ଓ ଅଧିନାୟକ ରଜତ ପାଟିଦାର ୮ ରନ୍‌ କରି ଆଉଟ୍‌ ହୋଇଥିଲେ। ମାତ୍ର ୩୯ ରନ୍‌ରେ ଦଳ ମୁଖ୍ୟ ୩ଟି ୱିକେଟ୍‌ ହରାଇ ଚାପରେ ପଡ଼ିଥିଲା।

ତେବେ ଜାକୋବ ବେଥେଲ ଦଳକୁ ସମ୍ଭାଳିବାକୁ ଚେଷ୍ଟା କରି ୨୭ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଶେଷ ମୁହୂର୍ତ୍ତରେ ଭୁବନେଶ୍ୱର କୁମାର ଓ ରସିକ ସାଲମ ଡାର ଶାନ୍ତ ମସ୍ତିଷ୍କରେ ବ୍ୟାଟିଂ କରି ଦଳକୁ ଜୟ ଦେଇଥିଲେ। ଭୁବନେଶ୍ୱର ୭ ରନ୍‌ ଓ ରସିକ ୩ ରନ୍‌ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଟସ୍‌ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ତିଳକ ବର୍ମା ଦଳ ପକ୍ଷରୁ ସର୍ବାଧିକ ୫୭ ରନ୍‌ କରିଥିଲେ। ସେ ୪୨ଟି ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ନମନ ଧୀର ମଧ୍ୟ ୪୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ରୋହିତ ଶର୍ମା ୧୦ଟି ବଲ୍‌ରେ ୨୨ ରନ୍‌ କରି ଦ୍ରୁତ ଆରମ୍ଭ ଦେଇଥିଲେ।

ମୁମ୍ବାଇର ଆରମ୍ଭ ମଧ୍ୟ ଭଲ ରହିନଥିଲା। ମାତ୍ର ୪ ରନ୍‌ରେ ରିୟାନ ରିକେଲ୍ଟନ ଆଉଟ୍‌ ହୋଇଥିଲେ। ପରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍‌ ମଧ୍ୟ ଶୀଘ୍ର ପଡ଼ିଥିଲା। ଯଦିଓ ମଧ୍ୟକ୍ରମରେ ତିଳକ ବର୍ମା ଓ ନମନ ଧୀର ୮୮ ରନ୍‌ର ଭାଗିଦାରୀ କରି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ, ଶେଷ ଓଭରଗୁଡ଼ିକରେ ରନ୍‌ ଗତି ଧୀମା ହୋଇଯାଇଥିଲା।

ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ୪ଟି ୱିକେଟ୍‌ ନେଇଥିଲେ। ଜୋସ ହେଜଲଉଡ୍‌, ରସିକ ସାଲମ ଡାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।