ହାଇଦ୍ରାବାଦ: ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଗସ୍ତ କରି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ରବିବାର ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୯,୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେକେନ୍ଦ୍ରାବାଦ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ସେ ଦେଶର ଅର୍ଥନୈତିକ ସୁରକ୍ଷା ପାଇଁ ଦେଶବାସୀଙ୍କୁ କିଛି କଠୋର ତଥା ଜରୁରୀ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି।
ବିଶ୍ୱସ୍ତରୀୟ ସଂକଟ (ବିଶେଷ କରି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ) ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଆଗାମୀ ବର୍ଷେ ପାଇଁ କୌଣସି ଉତ୍ସବ ବା ବିବାହରେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି। ଏହାଦ୍ୱାରା ଦେଶର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ। ପେଟ୍ରୋଲ ଓ ଡିଜେଲ ବ୍ୟବହାର କମ କରିବାକୁ ସେ କହିଛନ୍ତି। ଯେଉଁଠି ସୁବିଧା ଅଛି ସେଠାରେ ମେଟ୍ରୋ ଓ ସାର୍ବଜନୀନ ପରିବହନ ବ୍ୟବହାର କରନ୍ତୁ। ବୈଦେଶିକ ତୈଳ ଉପରେ ନିର୍ଭରଶୀଳତା କମାଇବା ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ବର୍ଷେ ଯାଏଁ ବିଦେଶ ଭ୍ରମଣ ଯୋଜନାକୁ ସ୍ଥଗିତ ରଖି ଦେଶ ଭିତରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ତେଲ ନୁହେଁ, ବରଂ ରାସାୟନିକ ସାର ବ୍ୟବହାର କମ କରି ଜୈବିକ ସାର ପ୍ରୟୋଗ କରିବା ମଧ୍ୟ ଏକ ପ୍ରକାର ଦେଶପ୍ରେମ। ଏହାଦ୍ୱାରା ଜମିର ଉର୍ବରତା ବଢ଼ିବା ସହ ବିଦେଶକୁ ଯାଉଥିବା ଅର୍ଥ ବଞ୍ଚିପାରିବ। ସେହିଭଳି ଖାଇବା ତେଲ (Edible Oil) ବ୍ୟବହାରରେ ୧୦% କାଟ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
“ବିଶ୍ୱରେ ଏବେ ଅନିଶ୍ଚିତତା ଜାରି ରହିଛି। ଏପରି ସମୟରେ ଆମକୁ ଦେଶହିତକୁ ସର୍ବୋପରି ରଖି ସଂକଳ୍ପ ନେବାକୁ ହେବ।” – ନରେନ୍ଦ୍ର ମୋଦୀ




