କୋଲକାତା/ବକ୍ସର: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ରନାଥ ରଥଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ପଶ୍ଚିମବଙ୍ଗ ଏସଟିଏଫ୍ (STF) କୁ ଏକ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ତାର ଏବେ ବିହାର ସହ ଯୋଡ଼ି ହୋଇଛି। ବିହାରର ବକ୍ସର ଜିଲ୍ଲାରେ ଚଢଉ କରି ଏସଟିଏଫ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଏସଟିଏଫ୍ର ଏକ ସ୍ୱତନ୍ତ୍ର ଦଳ ବିହାର ପୁଲିସ ସହାୟତାରେ ବକ୍ସରର ମୁଫସିଲ୍ ଥାନା ଅଞ୍ଚଳରେ ଚଢଉ କରିଥିଲା। ପାଣ୍ଡେପଟ୍ଟି ନିବାସୀ ବିଶାଲ ଶ୍ରୀବାସ୍ତବଙ୍କୁ ପୁଲିସ ଗିରଫ କରି କୋଲକାତା ନେଇଛି। ବିଶାଲଙ୍କ ନାମରେ ପୂର୍ବରୁ ଅନେକ ହତ୍ୟା ଓ ଲୁଟ୍ ଭଳି ସଙ୍ଗୀନ ମାମଲା ରହିଛି। ଚନ୍ଦ୍ରନାଥଙ୍କୁ ହତ୍ୟା କରିବା ପାଇଁ ବିହାରରୁ ସୁଟର ଭଡ଼ାରେ ଅଣାଯାଇଥିବା ନେଇ ସନ୍ଦେହ କରାଯାଉଛି।
ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ଏକ ଡିଜିଟାଲ କାରବାର ମୁଖ୍ୟ ଭୂମିକା ଗ୍ରହଣ କରିଛି। ହତ୍ୟାକାରୀମାନେ ଘଟଣା ଦିନ ଏକ ଟୋଲ୍ ଗେଟ୍ରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିଥିଲେ। ଏହି ଟ୍ରାଞ୍ଜାକସନ୍କୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି।
ଗତ ମେ’ ୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥ ରଥଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଅତି ନିକଟରୁ ତାଙ୍କ ଉପରକୁ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏହି ଆକ୍ରମଣରେ ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିଲେ। ଚନ୍ଦ୍ରନାଥ ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ ଏବଂ ଶୁଭେନ୍ଦୁ ଅଧିକାରୀଙ୍କର ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ।ଏବେ ବିହାରରୁ ଗିରଫ ହୋଇଥିବା ବିଶାଲ ଶ୍ରୀବାସ୍ତବଙ୍କୁ ପଚରାଉଚରା କରିବା ପରେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ, ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।




