ଭୁବନେଶ୍ବର: ବଙ୍ଗୋପସାଗରରେ ମେ’ ୧୧ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଓଡ଼ିଶାର ପାଣିପାଗ ଆଗାମୀ କିଛି ଦିନ ଅସ୍ଥିର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ଗଠିତ ହୋଇପାରେ। ତେବେ ଏହାର ତୀବ୍ରତା କେତେ ରହିବ ଓ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେନେଇ ଏଯାବତ୍ ସ୍ପଷ୍ଟ ପୂର୍ବାନୁମାନ ହୋଇନାହିଁ।

ସେପଟେ ମଧ୍ୟ ଓ ଉପରିସ୍ଥ ସ୍ତରର ପଶ୍ଚିମା ବାୟୁ ପ୍ରଭାବରେ ସମୁଦ୍ର ପତ୍ତନଠାରୁ ୭.୬ କିମି ଉପରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହା ଉତ୍ତର-ପୂର୍ବ ବିହାରରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ଛତିଶଗଡ଼ ଦେଇ ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ବରଗଡ଼ ଓ ଘସିପୁରାରେ ସର୍ବାଧିକ ୪ ସେମି ଲେଖାଏଁ ବର୍ଷା ରେକର୍ଡ ହୋଇଛି।

ଏହି ପାଣିପାଗ ପ୍ରଭାବରେ ଉତ୍ତର ଉପକୂଳ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ପରେ ଏହା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ମେ’ ୧୧ରୁ ୧୩ ମଧ୍ୟରେ ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି।

ସେ କହିଛନ୍ତି, ଓଡ଼ିଶା ପାଇଁ ବର୍ତ୍ତମାନ ବଡ଼ ବାତ୍ୟାଠାରୁ ଅଧିକ ‘ଅସ୍ଥିର ପାଣିପାଗ’ର ପରିସ୍ଥିତି ସ୍ପଷ୍ଟ ହେଉଛି। ମେ’ ମଧ୍ୟଭାଗରେ ରାଜ୍ୟରେ କାଳବୈଶାଖୀ, ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ପବନ ସହ ବର୍ଷାର ପ୍ରଭାବ ବଢ଼ିପାରେ। ଉପକୂଳ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସ୍ଥିତି ଅନୁଯାୟୀ ଏହା ମୁଖ୍ୟତଃ ବର୍ଷା କରାଉଥିବା ପ୍ରଣାଳୀ ଭାବେ କାମ କରିପାରେ ବୋଲି ସେ ମତ ଦେଇଛନ୍ତି।