ଭୁବନେଶ୍ୱର: ବେଆଇନ ମାଙ୍କଡା ପଥର ବୋଝେଇ ଗାଡ଼ିକୁ ଅଟକାଇ ପୁଲିସକୁ ସୂଚନା ଦେବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର ସାହୁ। ଘଟଣାରେ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ଅଜିତ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମୀ ଥିଲେ। ସେ ଅଞ୍ଚଳରେ ଗୋରକ୍ଷା ଓ ବେଆଇନ କାରବାର ବିରୋଧରେ ସକ୍ରିୟ ଭାବେ ସ୍ୱର ଉଠାଉଥିଲେ। ପୂର୍ବରୁ ଅନେକଥର ସେ ବେଆଇନ ମାଙ୍କଡା ପଥର ଓ ଗୋଚାଲାଣ ଗାଡ଼ି ଅଟକାଇ ପୁଲିସକୁ ସୂଚନା ଦେଇଥିବା କୁହାଯାଇଛି। ଏହାଫଳରେ ସ୍ଥାନୀୟ ମାଫିଆଙ୍କ ବେପାର ପ୍ରଭାବିତ ହେଉଥିବାରୁ ସେମାନେ ଅଜିତଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି।
ରବିବାର ରାତି ପ୍ରାୟ ସାଢେ ୨ଟା ସମୟରେ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ସୁରକ୍ଷା ଦେଇ କିଛି ଦୁର୍ବୃତ୍ତ ଏକ କାର୍ରେ ଯାଉଥିଲେ। ଓଡ଼ଗାଁ କଲେଜ ନିକଟ କଦଳୀବନ୍ଧ ଅଞ୍ଚଳରେ ଅଜିତ ଉକ୍ତ ଗାଡ଼ିକୁ ଅଟକାଇଥିବା ବେଳେ କାର୍ରୁ ପ୍ରାୟ ୬ ଜଣ ଅସ୍ତ୍ରଧାରୀ ଦୁର୍ବୃତ୍ତ ବାହାରି ତାଙ୍କୁ ଘେରିଯାଇଥିଲେ। ପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।
ଆକ୍ରମଣରେ ଅଜିତଙ୍କ ଦୁଇ ହାତ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଥିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ସହ ଥିବା ବସନ୍ତ ପ୍ରଧାନ ପଳାଇ ଯାଇ ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଅଜିତଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାବେଳେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।




