ମାଲକାନଗିରି: ଓଡ଼ିଶା-ଛତିଶଗଡ ସୀମାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଛତିଶଗଡର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅନ୍ତର୍ଗତ ଡୋଡିତୁମନାର ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ଼ ବଙ୍କର ଠାବ କରାଯାଇଛି। ବଙ୍କରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ବୋମା ତିଆରି ଉପକରଣ ଜବତ କରାଯାଇଛି।

ସୂଚନା ଅନୁସାରେ, ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ସୋମବାର ପୁଲିସ ଓ ସୁରକ୍ଷାବାହିନୀର ଏକ ଯୁକ୍ତ ଟିମ୍‌ ଡୋଡିତୁମନାର ଜଙ୍ଗଲରେ ତଲାସି ଚଳାଇଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲ ମଝିରେ ମାଟି ତଳେ ତିଆରି ହୋଇଥିବା ଏକ ଗୁପ୍ତ ବଙ୍କର ଠାବ କରାଯାଇଥିଲା।

ପ୍ରଶିକ୍ଷିତ ଯବାନମାନେ ଅତ୍ୟନ୍ତ ସତର୍କତାର ସହ ବଙ୍କର ଭିତରକୁ ପଶି ତଲାସି କରିଥିଲେ। ସେଠାରୁ ବିଜିଏଲ୍‌ ଲଞ୍ଚର, ବିଦ୍ୟୁତ ତାର, ଡିଟୋନେଟର, ସୋଲାର ପ୍ଲେଟ, ବ୍ୟାଟେରି, ୱେଲ୍ଡିଂ ମେସିନ୍‌ ସହ ବନ୍ଧୁକ ତିଆରିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ବଙ୍କରରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଓ ବୋମା ପ୍ରସ୍ତୁତ ପାଇଁ ଆଧୁନିକ ସାମଗ୍ରୀ ରଖାଯାଇଥିବା ପୁଲିସ କହିଛି।

ପୁଲିସର କହିବା ଅନୁଯାୟୀ, ମାଓବାଦୀମାନେ ଏହି ସାମଗ୍ରୀ ବ୍ୟବହାର କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରୁଥିଲେ। ଏହାସହ ଜଙ୍ଗଲର ବିଭିନ୍ନ ସ୍ଥାନରେ ମାଓ ସାମଗ୍ରୀ ଡମ୍ପ କରି ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି।

ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଜଙ୍ଗଲରେ ବିଭିନ୍ନ ସ୍ଥାନରେ ପୋତାଯାଇଥିବା ଲ୍ୟାଣ୍ଡମାଇନ୍‌କୁ ମଧ୍ୟ ଯାଞ୍ଚ କରି ନିଷ୍କ୍ରିୟ କରାଯାଉଥିବା ଜଣାପଡ଼ିଛି।