ସୋର (ବାଲେଶ୍ୱର): ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ନୂଆ ନୂଆ ଚୋରା ଚାଲାଣର ତରିକା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। କେତେବେଳେ ଆମ୍ବୁଲାନ୍ସ ତ କେତେବେଳେ ଡେଲିଭରି ଗାଡ଼ି ମାଧ୍ୟମରେ ହେଉଛି ଚୋରା ଚାଲାଣ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି।

ସୂଚନା ଅନୁଯାୟୀ, ଚପରପଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଏକ ଡେଲିଭରି କମ୍ପାନୀର ପାର୍ସଲ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସମୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଟ୍ରକର ହେଲପର ଓ ଡ୍ରାଇଭର ସିଟ୍ ତଳୁ ପୁଳା ପୁଳା ଗଞ୍ଜେଇ ଜବତ କରାଯାଇଛି।

ଉକ୍ତ ଗାଡ଼ିରୁ ୨୨ ପ୍ୟାକେଟ (ପ୍ରାୟ ୪୦ କିଲୋଗ୍ରାମ) ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା। ଟ୍ରକ ଡ୍ରାଇଭର ଓ ହେଲପର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଏହା କୌଣସି ପ୍ରଥମ ଘଟଣା ନୁହେଁ। ଗତ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା।

ଗଞ୍ଜେଇ ମାଫିଆମାନେ ରାଜ୍ୟ ବାହାରକୁ ଏହି ନିଶାଦ୍ରବ୍ୟ ଚାଲାଣ କରିବା ପାଇଁ ଡେଲିଭରି ଭ୍ୟାନ୍ ଓ ଜରୁରୀକାଳୀନ ଗାଡ଼ିର ସାହାଯ୍ୟ ନେଉଛନ୍ତି। ଏବେ ପୋଲିସ ଏହି ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।