ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆସନ୍ତା ମେ’ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ଦେଖାଦେଇଛି।
ନିତିନ ନବୀନ ନିଜ ଗସ୍ତ କାଳରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସମ୍ମିଳନୀରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି, ଜନସମ୍ପର୍କ ଅଭିଯାନ ଏବଂ ଦଳର ଆଗାମୀ ରଣନୀତି ଉପରେ ସେ ବରିଷ୍ଠ ନେତା ଓ ଜିଲ୍ଲା ପ୍ରତିନିଧିମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ୱାଗତ ଏବଂ ଗସ୍ତ କାର୍ଯ୍ୟସୂଚୀକୁ ନେଇ ଆଜି (ମଙ୍ଗଳବାର) ପୂର୍ବାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ବରିଷ୍ଠ ନେତା, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ମଣ୍ଡଳ ସଭାପତିମାନେ ଯୋଗଦେବେ।
ନିତିନ ନବୀନଙ୍କ ଗସ୍ତ ପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକ୍ରମର ପରିଚାଳନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
ଓଡ଼ିଶାରେ ବିଜେପିର ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିଶେଷ କରି ତୃଣମୂଳ ସ୍ତରରେ ଦଳର ପହଞ୍ଚ ବଢ଼ାଇବା ଏବଂ କର୍ମୀମାନଙ୍କ ମଧ୍ୟରେ ନୂତନ ଜୋସ୍ ଭରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।




