ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ତଦନ୍ତରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ଯେ, ରାଜସ୍ଥାନର ଜାମୱା ରାମଗଡ଼ର ଦୁଇ ଭାଇ ମାଙ୍ଗିଲାଲ ଓ ଦିନେଶ ବିୱାଲ ଗୁରୁଗ୍ରାମର ଜଣେ ଡାକ୍ତରଙ୍କଠାରୁ ୩୦ ଲକ୍ଷ ଟଙ୍କାରେ ଚଳିତ ବର୍ଷର ନିଟ୍‌-ୟୁଜି ପ୍ରଶ୍ନପତ୍ର କିଣିଥିଲେ।

ସୂଚନା ଅନୁସାରେ, ପରୀକ୍ଷାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୬ ତାରିଖରେ ଏହି ଡିଲ୍‌ ହୋଇଥିଲା। ପରେ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ସିକରରେ ଡାକ୍ତରୀ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ନିଜ ପୁଅଙ୍କୁ ପ୍ରଶ୍ନପତ୍ର ପଠାଇଥିଲେ। ତା’ପରେ ଏପ୍ରିଲ ୨୯ରେ ଏହାକୁ ଅନ୍ୟ କିଛି ଲୋକଙ୍କ ନିକଟରେ ବିକ୍ରି କରାଯାଇଥିଲା। ଏଥର ରାଜସ୍ଥାନର ସିକର ପେପର୍‌ ଲିକ୍‌ର ପ୍ରମୁଖ କେନ୍ଦ୍ରସ୍ଥଳ ଭାବେ ଉଭୁ ହୋଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଜାମୱା ରାମଗଡ଼ରୁ ପ୍ରଶ୍ନପତ୍ରଟି ସିକରର ଏମ୍‌ବିବିଏସ୍‌ କାଉନସେଲିଂ ଏଜେଣ୍ଟ ରାକେଶ କୁମାର ମଣ୍ଡାୱାରିଆଙ୍କ ନିକଟକୁ ପହଞ୍ଚିଥିଲା। ପରେ ସେ ଏହାକୁ ଆଗକୁ ବିକ୍ରି କରିଥିଲେ। ରାକେଶ କେରଳରେ ଏମ୍‌ବିବିଏସ୍‌ ପଢୁଥିବା ସିକରର ଜଣେ ଛାତ୍ରଙ୍କୁ ୩୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ।

ପରୀକ୍ଷାର ଦିନକ ପୂର୍ବରୁ ସେହି ଛାତ୍ର ନିଜ ବାପାଙ୍କୁ ପ୍ରଶ୍ନପତ୍ର ପଠାଇଥିଲେ। ସିକରରେ ପିଜି ହଷ୍ଟେଲ ଚଳାଉଥିବା ତାଙ୍କ ବାପାଙ୍କୁ ସେ କହିଥିଲେ ଯେ, ଏହି ପ୍ରଶ୍ନପତ୍ରରୁ ପରୀକ୍ଷାରେ ପ୍ରଶ୍ନ ଆସିବ ଏବଂ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଏହା ଦେଇଦିଆଯାଉ।

ତଦନ୍ତକାରୀ ସଂସ୍ଥାଙ୍କ ମତାନୁସାରେ, ଏହି ସମଗ୍ର ରାକେଟ୍‌ର ମୁଖ୍ୟ ସୂତ୍ରଧର ହେଉଛନ୍ତି ଗୁରୁଗ୍ରାମର ଉକ୍ତ ଡାକ୍ତର। ଏହାପୂର୍ବରୁ ରାଜସ୍ଥାନ ପୁଲିସ ସୂଚନା ଦେଇଥିଲା ଯେ, ପ୍ରଶ୍ନପତ୍ର ନାଶିକର ଏକ ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇଥିଲା। ସେଠାରୁ ଚେନ୍‌ ନେଟୱର୍କ ମାଧ୍ୟମରେ ଏହା ଗୁରୁଗ୍ରାମର ଡାକ୍ତରଙ୍କ ନିକଟକୁ ପହଞ୍ଚିଥିଲା ଏବଂ ପରେ ଦୁଇ ଭାଇ ଏହାକୁ ଅନ୍ୟ ଆଶାୟୀଙ୍କ ନିକଟକୁ ପଠାଇଥିଲେ।

ତେବେ ଭାରତୀୟ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ତଦନ୍ତକାରୀ ସଂସ୍ଥା ସେମାନଙ୍କ ସହ ଯୋଗାଯୋଗ କରିନାହାନ୍ତି। ଏପଟେ ରାଜସ୍ଥାନ ପୁଲିସ ମାଙ୍ଗିଲାଲ ଓ ଦିନେଶ ବିୱାଲଙ୍କୁ ଗିରଫ କରିଛି। ଦିନେଶ ବିୱାଲଙ୍କର ଏକ ରାଜନୈତିକ ଦଳ ସହ ସମ୍ପର୍କ ଥିବା ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।