ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ଭାରତରେ ଏପର୍ଯ୍ୟନ୍ତ ଇନ୍ଧନ ଦର ସ୍ଥିର ରହିଛି। ତେବେ ଯୁଦ୍ଧ ଯଦି ଦୀର୍ଘ ସମୟ ଚାଲିଥାଏ, ତେବେ ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅନିବାର୍ୟ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି।

ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଦୀର୍ଘ ସମୟ ଧରି ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ଭାବେ ହୋଇପାରୁନାହିଁ। ଏହାର ପ୍ରଭାବରେ ତୈଳ କମ୍ପାନିଗୁଡ଼ିକୁ ଅଧିକ ଦାମ୍‌ରେ ତେଲ କିଣିବାକୁ ପଡୁଛି ଏବଂ ସେମାନେ ବଜାର ଦରଠାରୁ କମ୍‌ ଦାମରେ ଇନ୍ଧନ ବିକ୍ରି କରି ପ୍ରତିଦିନ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି।

ଏହି ଆର୍ଥିକ ଚାପକୁ କମାଇବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ତୈଳ କମ୍ପାନିମାନଙ୍କ ଉପରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଭାର କମିଛି। ତଥାପି କ୍ଷତି ଜାରି ରହିଥିବାରୁ ଆଗାମୀ ଦିନରେ ଇନ୍ଧନ ଦର ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି।

ସଞ୍ଜୟ ମାଲହୋତ୍ରା କହିଛନ୍ତି, “ଯଦି ଯୁଦ୍ଧ ଲମ୍ବା ସମୟ ଧରି ଚାଲିବ, ତେବେ ତେଲ ଦର ବଢ଼ାଇବାକୁ ପଡ଼ିବ। ଏହା କେବଳ ସମୟର ପ୍ରଶ୍ନ।”

ଅନ୍ୟପଟେ ତୈଳ କମ୍ପାନିମାନେ ପ୍ରତିମାସ ବାଣିଜ୍ୟିକ ଏଲ୍‌ପିଜି, ଏଭିଏସନ୍‌ ଟର୍ବାଇନ୍‌ ଫ୍ୟୁଏଲ୍‌ (ଏଟିଏଫ୍‌) ଏବଂ ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି କରୁଥିବା ବେଳେ ସାଧାରଣ ପରିବାର ବ୍ୟବହୃତ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ନିକଟରେ ବାଣିଜ୍ୟିକ ଏଲ୍‌ପିଜି ଦରରେ ୯୯୩ ଟଙ୍କା ବୃଦ୍ଧି କରାଯାଇଥିଲା।

ଏହାପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ସତର୍କ କରିଥିଲା ଯେ, ଅଶୋଧିତ ତେଲ ଦର ଦୀର୍ଘ ସମୟ ଉଚ୍ଚା ରହିଲେ ଭାରତକୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ପଡ଼ିପାରେ। କାରଣ ଦୀର୍ଘ ସମୟ ପର୍ଯ୍ୟନ୍ତ କୃତ୍ରିମ ଭାବେ ଦର ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଆର୍ଥିକ ସମର୍ଥ୍ୟ ନାହିଁ।

ତେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଶବାସୀଙ୍କୁ ଆଶ୍ୱାସନ ଦେଇ କହିଛନ୍ତି ଯେ, ଅଚାନକ ତେଲ ଦର ବୃଦ୍ଧି ହେବ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ତେଲ ଓ ଗ୍ୟାସ ମହଜୁଦ ରହିଛି। ତଥାପି ତୈଳ କମ୍ପାନିମାନେ ଲଗାତାର କ୍ଷତି ସହୁଥିବାରୁ ସେ କେତେଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିପାରିବ ବୋଲି ଚିନ୍ତା ପ୍ରକାଶ କରିଛନ୍ତି।