ତିରିଂ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ବୁଧବାର ଏକ ହୃଦୟବିଦାରକ ଡବଲ ମର୍ଡର ଘଟଣା ଘଟିଛି। ଜଣେ ଯୁବକ ଲୁହା ଶାବଳରେ ଆକ୍ରମଣ କରି ଦୁଇଜଣଙ୍କୁ ହତ୍ୟା କରିଥିବାବେଳେ ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ଆହତ ଅଭିଯୁକ୍ତର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତ ଅଭିଯୁକ୍ତଙ୍କ ପରିଚୟ କୁଲୁଘୁଟୁ ଗାଁର ମୋଚକା ଆଲଦା(୨୫) ଭାବେ ହୋଇଥିବାବେଳେ ହତ୍ୟାର ଶିକାର ହୋଇଥିବା ଦୁଇଜଣ ହେଲେ ସେହି ଗାଁର ଗୋପୀନାଥ ସର୍ଦ୍ଦାର(୬୨) ଓ ବୁଦ୍ଧେଶ୍ୱର ରଣା(୫୦)।
ସୂଚନାନୁସାରେ, ବୁଧବାର ସକାଳ ପ୍ରାୟ ୮.୩୦ରୁ ୯ଟା ମଧ୍ୟରେ ମୋଚକା ଆଲଦା ନିଜ ଘର ସମ୍ମୁଖରେ ଠିଆ ହୋଇଥିଲା। ସେହି ସମୟରେ ଗାଁର ରାସ୍ତାଦେଇ ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା ଯାଉଥିବା ବେଳେ ହଠାତ୍ ମୋଚକା ସେମାନଙ୍କ ଉପରେ ଲୁହା ଶାବଳରେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଗ୍ରାମବାସୀଙ୍କ କହିବା ଅନୁସାରେ, ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଏକ କୁକୁଡ଼ାକୁ ଧାରୁଆ ଅସ୍ତ୍ରରେ କାଟି ଘର ଉପରକୁ ଫିଙ୍ଗି ଦେଇଥିଲା। ପରେ ସେ ଏଭଳି ହିଂସ୍ର କାଣ୍ଡ ଘଟାଇଥିଲା।
ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତ ମୋଚକାକୁ କାବୁ କରି ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲା। ଖବର ପାଇ ତିରିଂ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇଥିବା କିମ୍ବା ନିଶାସକ୍ତ ଅବସ୍ଥାରେ ଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ ଘଟଣାର ସଠିକ୍ କାରଣ ଖୋଜିବାରେ ଲାଗିଛି।
ଘଟଣାସ୍ଥଳରେ ରାଇରଙ୍ଗପୁର ଏଏସ୍ପି ଯଦୁନାଥ ଜେନା, ଏସ୍ଡିପିଓ ବୀରେନ୍ଦ୍ର ସେନାପତି, ତିରିଂ ଓ ବହଲଦା ଥାନା ପୁଲିସ ସହ ବାରିପଦାରୁ ଫରେନ୍ସିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛନ୍ତି। ତିରିଂ ଥାନାରେ କେସ୍ ନଂ ୭୭/୨୬ ରୁଜୁ ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।




