ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଝାଡ଼ଖଣ୍ଡ ଓ ଶିମିଳିପାଳ ଅଞ୍ଚଳରୁ ଆସୁଥିବା ହାତୀପଲଙ୍କ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବାବେଳେ ଗତ ସପ୍ତାହ ଧରି ବିଭିନ୍ନ ଜଙ୍ଗଲରେ ବିଛିନ୍ନ ଭାବେ ରହୁଥିବା ପ୍ରାୟ ୮୭ଟି ହାତୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି।

ସେଥିମଧ୍ୟରୁ କ୍ଷୀରପଦା ଜଙ୍ଗଲରେ ଥିବା ୩୭ଟିକିଆ ହାତୀପଲ ମଙ୍ଗଳବାର ଦିନ ତମାମ ନିକଟସ୍ଥ ଅଞ୍ଚଳରେ ଉପଦ୍ରବ କରିଥିଲେ। ସନ୍ଧ୍ୟା ସମୟରେ ଏହି ହାତୀପଲ ଜଙ୍ଗଲରୁ ବାହାରି ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତା ଅତିକ୍ରମ କରି ଭାଲିଆଡିହା ଜଙ୍ଗଲ ଦେଇ ନୀଳଗିରି ମୁହାଁ ହୋଇଥିଲେ।

ତେବେ ରାସ୍ତା ଅତିକ୍ରମ କରିବା ବେଳେ ହାତୀପଲ ରାଜରାସ୍ତା ଉପରେ ବେଶ କିଛି ସମୟ ଧରି ଉତ୍ପାତ କରିଥିଲେ। ଫଳରେ ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ସଡ଼କରେ ଘଣ୍ଟାଧିକ ସମୟ ପର୍ଯ୍ୟନ୍ତ ଯାତାୟାତ ଠପ ହୋଇଯାଇଥିଲା। ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିବାବେଳେ ହାତୀପଲକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ଅନ୍ୟପଟେ, ହାତୀପଲକୁ ସୁରକ୍ଷିତ ଭାବେ ଜଙ୍ଗଲ ମୁହାଁ କରାଇବା ପାଇଁ ବନବିଭାଗ କର୍ମଚାରୀମାନେ ବେଶ କସରତ କରିଥିଲେ। ପରେ ବିଳମ୍ବିତ ସନ୍ଧ୍ୟାରେ ସମସ୍ତ ୩୭ଟି ହାତୀ ଭାଲିଆଡିହା ଜଙ୍ଗଲରେ ପ୍ରବେଶ କରିବା ପରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିଲା।