ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣିଥରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ Mohan Charan Majhi। ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ହେବ। ଆଜି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ଏହି ବୈଠକ ବସିବ।

ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜି ଉପସ୍ଥିତ ରହିବେ। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପିମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧିକ ଘଟଣା ଏବଂ ଆଇନଶୃଙ୍ଖଳା ସ୍ଥିତି ଉପରେ ଏଥିରେ ବିସ୍ତୃତ ଆଲୋଚନା ହେବ।

ସୂଚନାଯୋଗ୍ୟ, ଗତ ଶନିବାର ପଶ୍ଚିମବଙ୍ଗ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ସେତେବେଳେ ରାଜ୍ୟରେ ବଢ଼ୁଥିବା ଅପରାଧିକ ଘଟଣାକୁ ନେଇ ପୁଲିସ ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ଅପରାଧ ନିୟନ୍ତ୍ରଣ ପାଇଁ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଜିର ବୈଠକରେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶର କାର୍ଯ୍ୟାନ୍ବୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି।