ବିଳମ୍ବିତ ରାତି ଯାଏଁ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ୍, ଅସନ୍ତୁଷ୍ଟ ‘ମୋ ବସ୍’ ଚାଳକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ପାଇଁ ଦେଖାଦେଇଛି ଅଭାବନୀୟ ସ୍ଥିତି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ଗାଡ଼ିଗୁଡ଼ିକର କିଲୋମିଟର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଲୋକେ ନିଜ ନିଜ ଗାଡ଼ିରେ ତେଲ ପକାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ବେଳେ, ଏଥିରୁ ବାଦ୍ ପଡ଼ିନାହିଁ ସହରର ଜୀବନରେଖା କୁହାଯାଉଥିବା ‘ମୋ ବସ୍’ ।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଭୁବନେଶ୍ୱର ସିଆରପି (CRP) ଛକସ୍ଥିତ ପେଟ୍ରୋଲ ପମ୍ପରେ ଏକ ଅସ୍ବାଭାବିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଡିୟୁଟି ସରିବା ପରେ ମଧ୍ୟ ‘ମୋ ବସ୍’ର ଚାଳକମାନେ ତେଲ ପାଇଁ ରାସ୍ତା କଡ଼ରେ ଗାଡ଼ି ରଖି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ବିଳମ୍ବିତ ରାତି ଯାଏଁ ଲାଇନରେ ଛିଡ଼ା ହେବା ଫଳରେ ଚାଳକ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗୋଟିଏ ପଟେ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ରାଜ୍ୟରେ ତେଲର କୌଣସି ଅଭାବ ନାହିଁ ଏବଂ ଯୋଗାଣ ସ୍ବାଭାବିକ ରହିଛି । ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖାଯାଉଛି । ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି, ଯେଉଁଥିପାଇଁ ସେମାନେ ପେଟ୍ରୋଲ ପମ୍ପ ଆଗରେ ଭିଡ଼ ଜମାଉଛନ୍ତି ।

ଯଦି ତେଲର ଅଭାବ ନାହିଁ, ତେବେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଭଳି ସ୍ଥିତି କାହିଁକି ଉପୁଜୁଛି? କାହିଁକି ଜଣେ ‘ମୋ ବସ୍’ ଚାଳକଙ୍କୁ ନିଜ ଡିୟୁଟି ପରେ ବିଶ୍ରାମ ନେବା ବଦଳରେ ରାତି ଅଧ ଯାଏଁ ତେଲ ପାଇଁ ଲାଇନରେ ଛିଡ଼ା ହେବାକୁ ପଡ଼ୁଛି? ଏହି ସମସ୍ୟାର ସମାଧାନ କେବେ ହେବ, ତାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।