ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ECI) ଓଡ଼ିଶା ସମେତ ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ପତ୍ର ଲେଖିଛନ୍ତି।
ଆସନ୍ତା ମେ’ ୩୦ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।ସେ ତାଙ୍କ ପତ୍ରରେ ପୂର୍ବରୁ ହୋଇଥିବା ପ୍ରାଥମିକ ଯାଞ୍ଚ ସମୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ପ୍ରତି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପ୍ରାଥମିକ ଯାଞ୍ଚରେ ପ୍ରାୟ ୯.୮ ଲକ୍ଷ ଭୋଟରଙ୍କ ନାମ କାଟିବା ପାଇଁ ଚିହ୍ନଟ କରାଯାଇଥିଲା, ଯାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କ୍ଷେତ୍ରସ୍ତରରେ ଯାଞ୍ଚ ବେଳେ ଅନିୟମିତତା ଏବଂ ବିଭିନ୍ନ ବିସଙ୍ଗତି ଦେଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏତେ ବଡ଼ ସଂଖ୍ୟାରେ ନାମ କଟାଯିବା ପ୍ରସ୍ତାବକୁ ନେଇ ଜନସାଧାରଣଙ୍କ ପକ୍ଷରୁ ଅନେକ ଆପତ୍ତି ମଧ୍ୟ ଆସିଛି।
ସାଂସଦ ପାତ୍ର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ପୂର୍ବରୁ ହିଁ ଅନିୟମିତତା ସମ୍ପର୍କରେ ଜାଣିବା ପରେ ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆଗାମୀ ସମ୍ପୂର୍ଣ୍ଣ SIR ପ୍ରକ୍ରିୟା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ।
ନିର୍ବାଚନ କମିଶନଙ୍କ ପାଖରେ କରାଯାଇଥିବା ଦାବି:
୧. କ୍ଷେତ୍ର ଯାଞ୍ଚ ଓ ପ୍ରମାଣ: କୌଣସି ଭୋଟରଙ୍କ ନାମ କାଟିବା ପୂର୍ବରୁ ସଠିକ ଦସ୍ତାବିଜ ସହ ଯାଞ୍ଚ କରାଯାଉ।
୨. ଆଗୁଆ ସୂଚନା: ଯେଉଁ ଭୋଟରଙ୍କ ନାମ କଟାଯିବାର ସମ୍ଭାବନା ଅଛି, ସେମାନଙ୍କୁ ପୂର୍ବରୁ ସୂଚନା ଦିଆଯାଉ।
୩. ନଜର ରଖିବା: ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ କଟାଯାଉଛି, ସେଠାରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଉ।
୪. ଅଭିଯୋଗ ପ୍ରକ୍ରିୟା: ଜନସାଧାରଣଙ୍କ ପାଇଁ ଏକ ସରଳ ଓ ସମୟସୀମା ମଧ୍ୟରେ ସମାଧାନ ହୋଇପାରୁଥିବା ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ କରାଯାଉ।
୫. ସର୍ବସାଧାରଣରେ ତଥ୍ୟ: ନିର୍ବାଚନ ମଣ୍ଡଳୀ ଅନୁଯାୟୀ ସଂଶୋଧନ ଏବଂ ନାମ କଟାଯିବା ତଥ୍ୟକୁ ସମୟାନୁସାରେ ସର୍ବସାଧାରଣ କରାଯାଉ।
ସସ୍ମିତ ପାତ୍ର ଆଶା ପ୍ରକାଶ କରିଛନ୍ତି ଯେ, ନିର୍ବାଚନ କମିଶନ ଏହି ପ୍ରକ୍ରିୟାକୁ ନିରପେକ୍ଷ ଏବଂ ସାମଗ୍ରିକ କରିବେ ଯେପରି କୌଣସି ଯୋଗ୍ୟ ଭୋଟର ମତାଧିକାରରୁ ବଞ୍ଚିତ ହେବେ ନାହିଁ। ଓଡ଼ିଶାରେ ଏହି SIR ପ୍ରକ୍ରିୟା ପାଇଁ ପ୍ରାୟ ୩୮,୧୨୩ ଜଣ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୭,୭୨୩ ଜଣ ବୁଥ୍ ଲେଭଲ୍ ଏଜେଣ୍ଟ (BLA) ନିୟୋଜିତ ହୋଇଛନ୍ତି।




