ଭୁବନେଶ୍ବର: ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ମୋହନ ସରକାର ଦୁଇ ବର୍ଷ ପୂର୍ତ୍ତି କରିବେ। ଏହି ଅବସରରେ ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ତେବେ ପଶ୍ଚିମ ଏସିଆର ସଙ୍କଟମୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାପକ ଆଡମ୍ବର ପରିବର୍ତ୍ତେ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରଚାର ସହ ପୁସ୍ତିକା ଓ ଲିଫଲେଟ୍ ପ୍ରକାଶ କରାଯିବ।
ସୂଚନା ଅନୁସାରେ, “ଶକ୍ତି ଓଡ଼ିଶା”, “ସମୃଦ୍ଧ କୃଷି ଓଡ଼ିଶା”, “ସୁସ୍ଥ ଓଡ଼ିଶା”, “ନିର୍ମାଣ ଓଡ଼ିଶା”, “ଉତ୍କର୍ଷ ଓଡ଼ିଶା”, “ଜନଶକ୍ତି ଓଡ଼ିଶା” ଏବଂ “କୌଶଳ ଓଡ଼ିଶା” ଭଳି ୭ଟି ଥିମ୍କୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ହେବ। ସେହିପରି ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଭିଜନ୍ ଓ ଲକ୍ଷ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ।
ବିଭାଗୀୟ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗର ଦୁଇ ବର୍ଷର ସଫଳତା ନେଇ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ କୁହାଯାଇଛି। ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ସାର୍ବଜନୀନ କରାଯିବ।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସହ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ Narendra Modiଙ୍କୁ ମଧ୍ୟ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।




