ଓଡ଼ିଶା ସରକାରଙ୍କ EV ନୀତି ଉପରେ ଉଠିଲା ପ୍ରଶ୍ନ: ଇନ୍ଧନ ସଙ୍କଟ ମଧ୍ୟରେ କର୍ମଚାରୀଙ୍କ ସବସିଡି ପ୍ରତ୍ୟାହାର ପ୍ରସ୍ତୁତି, ଜନତା ପଚାରିଲେ- ‘ଦୋମୁହାଁ ନୀତି କାହିଁକି?’

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଇନ୍ଧନ ସଙ୍କଟ ମଧ୍ୟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରିକ ଗାଡ଼ି (EV) ନୀତିକୁ ନେଇ ବିବାଦ ଦେଖାଦେଇଛି। ଗୋଟିଏ ପଟେ ସରକାର ଲୋକଙ୍କୁ ଗ୍ରୀନ ମୋବିଲିଟି ଆପଣାଇବାକୁ କହୁଥିବା ବେଳେ, ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ସବସିଡି ଓ ସୁଧମୁକ୍ତ ଋଣ ପ୍ରତ୍ୟାହାର ପାଇଁ ଅର୍ଥ ବିଭାଗ ଚିଠି ଜାରି କରିଛି। ସରକାରଙ୍କ ଏହି ଆଭିମୁଖ୍ୟକୁ ଜନତା ‘ଦୋମୁହାଁ ନୀତି’ ବୋଲି ସମାଲୋଚନା କରିଛନ୍ତି।

ଅର୍ଥ ବିଭାଗର ଏପ୍ରିଲ ୨୮ ଚିଠି ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ EV କିଣିବା ପାଇଁ ପୂର୍ବରୁ ମିଳୁଥିବା ସବସିଡି ଓ ସୁଧମୁକ୍ତ ଋଣ ସୁବିଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ EV ସଂଖ୍ୟା ବଢୁଥିଲେ ମଧ୍ୟ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ ନାହିଁ। ଗ୍ରାହକ ପ୍ରଶ୍ନ କରିଛନ୍ତି- “ଆଜି ପେଟ୍ରୋଲ ପାଇଁ ଲମ୍ବା ଲାଇନ୍, କାଲି କଣ ଚାର୍ଜିଂ ପାଇଁ ଲାଇନରେ ଛିଡ଼ା ହେବାକୁ ପଡ଼ିବ?” ବ୍ୟାଟେରୀ ବ୍ଲାଷ୍ଟ ଖବର ଏବଂ ଗାଡ଼ି କିଣିବା ପରେ କମ୍ପାନୀଗୁଡ଼ିକର ନିମ୍ନମାନର ଆଫ୍ଟର-ସେଲ୍ସ ସପୋର୍ଟ (ସର୍ଭିସିଂ) ଯୋଗୁଁ ଲୋକେ EV ଆଡ଼କୁ ମୁହାଁଇବାକୁ ସଙ୍କୋଚ କରୁଛନ୍ତି।

ସାଧାରଣ ଜନତାଙ୍କ ପାଇଁ EV ଇନସେଣ୍ଟିଭ୍ 2028 ପର୍ଯ୍ୟନ୍ତ ଜାରି ରହିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କର୍ମଚାରୀଙ୍କ ସବସିଡି କାଟ୍‌କୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବିଶେଷଜ୍ଞଙ୍କ ମତରେ, ଓଡ଼ିଶାରେ ବଡ଼ ଆକାରରେ EV କ୍ରାନ୍ତି ଆଣିବା ପୂର୍ବରୁ ସରକାରଙ୍କୁ ଏହି ସବୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ।