ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ମହାବିବାଦର ସମାଧାନ ପାଇଁ ଋଷିଆ ଏବଂ ଭାରତ ମଧ୍ୟରେ ଏକ ବଡ଼ କୂଟନୈତିକ ସମୀକରଣ ସାମ୍ନାକୁ ଆସିଛି। ଋଷିଆର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭ୍ ପ୍ରସ୍ତାବ ଦେଇଛନ୍ତି ଯେ, ଏହି ବିବାଦରେ ଭାରତ ଏକ ଦୀର୍ଘକାଳୀନ ମଧ୍ୟସ୍ଥି (Mediator) ର ଭୂମିକା ଗ୍ରହଣ କରିପାରେ। ଭାରତର ଦୃଢ଼ କୂଟନୈତିକ ପ୍ରଭାବ ଏହି ଅଞ୍ଚଳରେ ଶାନ୍ତି ଫେରାଇବାରେ ସାହାଯ୍ୟ କରିବ, ଯାହା କରିବାରେ ପାକିସ୍ତାନ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି।
ଦିଲ୍ଲୀରେ ଆୟୋଜିତ ବ୍ରିକ୍ସ (BRICS) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଏକ ପ୍ରେସ୍ ବ୍ରିଫିଂରେ ଲାଭରୋଭ୍ କହିଛନ୍ତି ଯେ, ଆଞ୍ଚଳିକ ଶକ୍ତି ସୁରକ୍ଷା (Energy Security) କ୍ଷେତ୍ରରେ ଭାରତର ବଡ଼ ସ୍ୱାର୍ଥ ରହିଛି, ତେଣୁ ଶାନ୍ତି ଆଲୋଚନା ପାଇଁ ଭାରତ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ।
ଋଷ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ: “ଜରୁରୀକାଳୀନ ସମସ୍ୟାର ସମାଧାନ ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ସ୍ଥାପନ କରିବାରେ ପାକିସ୍ତାନ ସାହାଯ୍ୟ କରୁଛି। କିନ୍ତୁ ଯଦି ସେମାନେ ଏକ ଦୀର୍ଘକାଳୀନ ମଧ୍ୟସ୍ଥି ଚାହୁଁଛନ୍ତି, ତେବେ ଭାରତ ନିଜର ବ୍ୟାପକ କୂଟନୈତିକ ଅଭିଜ୍ଞତା ଆଧାରରେ ଏହି ଭୂମିକା ତୁଲାଇ ପାରିବ।”
ଏକ ନିରପେକ୍ଷ ମଧ୍ୟସ୍ଥି ଭାବରେ ପାକିସ୍ତାନର ବିଶ୍ୱସନୀୟତା ଉପରେ ଗତ କିଛି ସପ୍ତାହ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, ଇସଲାମାବାଦ ଗୋପନୀୟ ଭାବେ ଇରାନର ସାମରିକ ବିମାନଗୁଡ଼ିକୁ ନିଜର ‘ନୁର ଖାନ’ ଏୟାର ବେସରେ ପାର୍କିଂ କରିବାକୁ ଅନୁମତି ଦେଇଥିଲା। ଏହା ସହିତ ଆମେରିକା ନେତୃତ୍ୱାଧୀନ ନୌସେନା ଅବରୋଧ (Blockade) ମଧ୍ୟରେ ତେହେରାନକୁ ଜରୁରୀକାଳୀନ ସାମଗ୍ରୀ ପଠାଇବା ପାଇଁ ୬ଟି ସ୍ଥଳ ପରିବହନ ମାର୍ଗ ମଧ୍ୟ ଖୋଲିଥିଲା।
ପାକିସ୍ତାନର ଏହି କାର୍ଯ୍ୟକଳାପକୁ ନେଇ ଆମେରିକାର ରିପବ୍ଲିକାନ ସେନେଟର ଲିଣ୍ଡସେ ଗ୍ରାହମ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ମାଟିରେ ଇରାନର ବିମାନ ରହିବା ହିଁ ପ୍ରମାଣ କରୁଛି ଯେ ମଧ୍ୟସ୍ଥି ପାଇଁ ଆମେରିକାକୁ ଏବେ ଅନ୍ୟ କୌଣସି ଦେଶ ଆଡ଼କୁ ଦେଖିବାକୁ ପଡ଼ିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଦ୍ୱାରା କରାଯାଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଏକପ୍ରକାର ନିଷ୍କ୍ରିୟ ବୋଲି ଦର୍ଶାଇ ସାରିଛନ୍ତି ଏବଂ ଇରାନର ନୂତନ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଭଳି ସ୍ଥିତିରେ ଋଷିଆ ଏବେ ଭାରତକୁ ଏକ ଶକ୍ତିଶାଳୀ ବିକଳ୍ପ ଭାବେ ଉପସ୍ଥାପନ କରୁଛି।
ଲାଭରୋଭ୍ ଯୁକ୍ତି ବାଢ଼ିଛନ୍ତି ଯେ, ଭାରତ ବର୍ତ୍ତମାନ ବ୍ରିକ୍ସ (BRICS) ର ଅଧ୍ୟକ୍ଷ ଏବଂ ମଧ୍ୟପ୍ରାଚ୍ୟରୁ ତେଲ ଯୋଗାଣ ଉପରେ ଭାରତର ସ୍ୱାର୍ଥ ସେହି ଅଞ୍ଚଳ ସହ ସିଧାସଳଖ ଜଡ଼ିତ।




