ତରଭୁଜ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, କଟକରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରର ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି । ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ଏହି କରୁଣ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆ ବଜାରରୁ ୪ କିଲୋଗ୍ରାମର ଏକ ତରଭୁଜ ଘରକୁ କିଣି ଆଣିଥିଲେ । ପରିବାର ଲୋକେ ସେହି ତରଭୁଜକୁ ଆନନ୍ଦର ସହ ଖାଇଥିଲେ । ମାତ୍ର ତରଭୁଜ ଖାଇବାର କିଛି ସମୟ ପରେ ସମସ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ଧୀରେ ଧୀରେ ଅସୁସ୍ଥ ମାନଙ୍କର ବାନ୍ତି ଓ ପତଳା ଝାଡ଼ା ଆରମ୍ଭ ହୋଇଯାଇଥିଲା, ଯାହାଫଳରେ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇପଡିଥିଲେ ।

ପରିବାର ଲୋକଙ୍କ ଅବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅର୍ଥାତ୍ ବବୃବାହନ ସେନାପତି ଏବଂ ସ୍ୱାଧୀନ ସେନାପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ଘଟିଛି ।

ମୃତ ସ୍ୱାଧୀନ ହେଉଛନ୍ତି ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ । ତରଭୁଜ ଖାଇବା ଦ୍ୱାରା ଏଭଳି ଖାଦ୍ୟ ବିଷାକ୍ତ (Food Poisoning) କେଉଁ କାରଣରୁ ହେଲା ଏବଂ କେମିତି ଜଣେ ନିଷ୍ପାପ ଶିଶୁର ଜୀବନ ଚାଲିଗଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ପ୍ରଶାସନ ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିପାରି ନାହିଁ ।