ଓଡ଼ିଶାରେ ନାହିଁ ପେଟ୍ରୋଲ-ଡିଜେଲ ସଙ୍କଟ: ଭୟଭୀତ ନହେବାକୁ ଆଇଓସିଏଲ୍ ଓ ଡିଲର ସଂଘର ଅପିଲ୍, ରବିବାର ସୁଦ୍ଧା ସ୍ଥିତି ସ୍ବାଭାବିକ
ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ପେଟ୍ରୋଲ ଓ ଡିଜେଲ ଅଭାବ ଗୁଜବ ଉପରେ ଏବେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ତେଲ ସଙ୍କଟର ଆଶଙ୍କା ଭିତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ଏବଂ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ପ୍ରତିନିଧିମାନେ ସାମିଲ ହୋଇଥିଲେ । ବୈଠକ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ଥିବା ନେଇ ଉଭୟ କମ୍ପାନୀ ଓ ଡିଲର ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବୈଠକ ଶେଷ ହେବା ପରେ ଆଇଓସିଏଲ୍ ସିଜିଏମ୍ (IOCL CGM) କମଲ ସିଲ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ, ବରଂ ପର୍ଯ୍ୟାପ୍ତ ମହଜୁଦ ରହିଛି । ତେଲ ସରିଯିବା ଭୟରେ ଲୋକମାନେ ଆବଶ୍ୟକତା ଠାରୁ ଅତ୍ୟଧିକ ପରିମାଣରେ ତେଲ କିଣିବା ଯୋଗୁଁ ହିଁ ପେଟ୍ରୋଲ ପମ୍ପଗୁଡ଼ିକରେ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିଥିଲା ।ସେ ଆହୁରି ମଧ୍ୟ କହିଛନ୍ତି ପାରାଦୀପ ରିଫାଇନାରିରୁ କୌଣସି ପ୍ରକାରର ତେଲ ସଙ୍କଟ ସୃଷ୍ଟି ହୋଇନାହିଁ । ସମସ୍ତ ଟାଙ୍କିକୁ କମ୍ପାନି ପକ୍ଷରୁ ଯୋଗାଣ ବ୍ୟବସ୍ଥାକୁ ପୁଣି ସ୍ବାଭାବିକ କରାଯାଇଛି ଏବଂ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଗ୍ରାହକମାନଙ୍କୁ ଲମ୍ବା ଲାଇନରେ ଛିଡା ହୋଇ କିମ୍ବା ଆତଙ୍କିତ ହୋଇ ତେଲ କିଣିବାର କୌଣସି ଆବଶ୍ୟକତା ନାହିଁ । ଯଦି କୌଣସି ଟାଙ୍କିରେ ପେଟ୍ରୋଲ ଅଭାବ ଦେଖାଦିଏ, ତେବେ ତୁରନ୍ତ ସେଠାକୁ ତେଲ ପଠାଇ ତାହା ପୂରଣ କରାଯିବ ।
ସେହିଭଳି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇ କହିଛନ୍ତି ଯେ, ଗତ କିଛି ଦିନ ହେବ ଅହେତୁକ ଭାବେ ତେଲ ବିକ୍ରି ବଢ଼ିଯିବା କାରଣରୁ ଏବଂ ଯୋଗାଣ ବ୍ୟବସ୍ଥାରେ ସାମାନ୍ୟ ବିଳମ୍ବ ଯୋଗୁଁ କିଛି ପମ୍ପରେ ସାମୟିକ ଭାବେ ପେଟ୍ରୋଲ ସରିଯାଇଥିଲା । ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତା ରବିବାର ମଧ୍ୟ ତେଲ ଡିପୋଗୁଡ଼ିକ ଖୋଲା ରହିବ ଏବଂ ସମସ୍ତ ଟାଙ୍କିକୁ ତେଲ ଯୋଗାଣ କରାଯିବ। ରବିବାର ସନ୍ଧ୍ୟା ସୁଦ୍ଧା ସମଗ୍ର ରାଜ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଗୁଜବରେ ବିଶ୍ୱାସ ନକରି ଶାନ୍ତିପୂର୍ଣ୍ଣ ଭାବେ ଆବଶ୍ୟକ ମୁତାବକ ତେଲ କିଣିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।




