ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC)ର ୭୧ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଖଣି ପ୍ରଭାବିତ ଓ ବିସ୍ଥାପିତ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ନିଜେ ଏକ ଖଣି ଅଞ୍ଚଳରୁ ଆସିଥିବାରୁ ସେଠାକାର ଲୋକଙ୍କ ଦୁଃଖ ଓ କରୁଣ କାହାଣୀକୁ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି। ଖଣି ଖାଦାନ ଅଞ୍ଚଳରେ ଉଡୁଥିବା ଧୂଳି ଯୋଗୁଁ ଲୋକେ ଗୁରୁତର ରୋଗର ଶିକାର ହେଉଥିବାରୁ, ସେମାନଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ପାଇଁ ପ୍ରଭାବିତ ଅଞ୍ଚଳରେ ‘ମେଗା ହେଲ୍ଥ କ୍ୟାମ୍ପ’ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଓଏମସିକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେସରକାରୀ ମାଇନ୍ସଗୁଡ଼ିକ ଶତ ପ୍ରତିଶତ ମେସିନରେ କାର୍ଯ୍ୟ କରୁଛନ୍ତି ସତ, କିନ୍ତୁ ସେମାନେ ଖଣି ବିସ୍ଥାପିତ ଲୋକଙ୍କୁ ଭୁଲି ଯାଉଛନ୍ତି। ଯେଉଁମାନେ ନିଜର ଭିଟାମାଟି ତଳେ ଥିବା ଖଣିଜ ସମ୍ପଦ ଦେଶର ବିକାଶ ପାଇଁ ପ୍ରଦାନ କରୁଛନ୍ତି, ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପ୍ରତି ବିଭାଗ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆଜି ବି ସେହି ଲୋକଙ୍କ ଅବସ୍ଥାରେ ଆଶାନୁରୂପ ପରିବର୍ତ୍ତନ ହୋଇନାହିଁ, ଯାହା ଏକ ଚିନ୍ତାର ବିଷୟ।
ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ OMC ର ସଫଳତାକୁ ପ୍ରଶଂସା କରି କହିଛନ୍ତି ”୨୦୨୫-୨୬ ଆର୍ଥିକ ବର୍ଷରେ ଓଏମସି ୪୫ ନିୟୁତ ଟନ୍ ଖଣି ସାମଗ୍ରୀ ଉତ୍ତୋଳନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୨୬ ବର୍ଷ ଶେଷ ସୁଦ୍ଧା ଏହି ଉତ୍ତୋଳନ ପରିମାଣକୁ ୧୦୦ ନିୟୁତ ଟନ୍କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଏମସି ସବୁବେଳେ ଉଭୟ ସୁଖ ଓ ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ସାଥୀରେ ସୁରକ୍ଷାଦାତା ସାଜି ଛିଡ଼ା ହୋଇଛି।”
ପରିବେଶ ସନ୍ତୁଳନ ରକ୍ଷା ପାଇଁ ଓଏମସି ପକ୍ଷରୁ ପ୍ରତି ୧୦ ମେଟ୍ରିକ ଟନ୍ ଖଣି ଉତ୍ତୋଳନ ବଦଳରେ ଗୋଟିଏ ଗଛ ଲଗାଯାଉଛି। ଆଗାମୀ ବର୍ଷରେ ଖଣି ଅଞ୍ଚଳରେ ବ୍ୟାପକ ସବୁଜବଳୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧ କୋଟି ଗଛ ଲଗାଇବାକୁ ଓଏମସି ଲକ୍ଷ୍ୟ ରଖିଛି, ଯାହା ପରିବେଶ ପ୍ରଦୂଷଣ ରୋକିବାରେ ବେଶ୍ ସହାୟକ ହେବ।




