କାଂକେର: ଛତିଶଗଡ଼ର କାଂକେର ଜିଲ୍ଲାରେ ଏକ ବଡ଼ ଧରଣର ନକଲି ନୋଟ୍ ଛାପିବା ରାକେଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ। କୋତୱାଲି ଥାନା ଅଞ୍ଚଳରେ ଚାଲିଥିବା ଏହି ବେଆଇନ କାରବାର ଉପରେ ଚଢ଼ାଉ କରି ପୋଲିସ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ସହ ଜଣେ ପ୍ରମୁଖ ଅଭିଯୁକ୍ତକୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତ ଜଣକ ନିଜ ଘର ଭିତରେ ହିଁ କଲର ପ୍ରିଣ୍ଟର ସାହାଯ୍ୟରେ ୫୦୦ ଟଙ୍କିଆ ନକଲି ନୋଟ୍ ଛାପୁଥିଲା।

କୋତୱାଲି ପୋଲିସକୁ କୌଣସି ସୂତ୍ରରୁ ବିପୁଳ ପରିମାଣର ନକଲି ନୋଟ୍ କାରବାର ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତର ଘରକୁ ଚାରିପାଖରୁ ଘେରାଉ କରି ଚଢ଼ାଉ କରିଥିଲା। ସେହି ସମୟରେ ଘର ଭିତରୁ ବିପୁଳ ପରିମାଣର ଜାଲ୍ ୫୦୦ ଟଙ୍କିଆ ନୋଟ୍ ସହ ନୋଟ୍ ଛାପିବା ପାଇଁ ବ୍ୟବହୃତ ହେଉଥିବା ହାଇଟେକ୍ ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପୋଲିସର ଜେରା ସମୟରେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛି। ସେ କହିଛି ଯେ, ସେ ବହୁ ପରିମାଣର ଋଣଗ୍ରସ୍ତ ଥିଲା ଏବଂ କରଜ ସୁଝିବା ପାଇଁ ତା’ ଉପରେ ମାନସିକ ଚାପ ଥିଲା। ଶୀଘ୍ର ଏବଂ ସହଜରେ ଟଙ୍କା ରୋଜଗାର କରିବା ପାଇଁ ସେ ଘରେ ନକଲି ନୋଟ୍ ଛାପିବାକୁ ଯୋଜନା କରିଥିଲା।

କାଂକେର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଏହି କାମ ଏକାକୀ କରୁଥିଲା ନା ଏହା ପଛରେ କୌଣସି ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ ରହିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଏହି ନକଲି ନୋଟ୍ ବଜାରରେ କେଉଁ କେଉଁ ସ୍ଥାନରେ ଚଳାଇବାକୁ ଯୋଜନା ହୋଇଥିଲା, ତାହା ମଧ୍ୟ ଖୋଜାଯାଉଛି।