ଭୁବନେଶ୍ୱର:
ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ଚାଲୁଥିବା ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖର୍ଚ୍ଚ କମାଇବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି।Housing and Urban Development Department Odisha ପକ୍ଷରୁ ସରକାରୀ ଯାନବାହାନର ସଂଯମୀ ଏବଂ ସଚେତନ ବ୍ୟବହାର ପାଇଁ ଏକ ନୂତନ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି।
Narendra Modiଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବUsha Padheeଙ୍କ ନିର୍ଦ୍ଦେଶକ୍ରମେ ଇନ୍ଧନ ଓ ଶକ୍ତିର ସୁଚିନ୍ତିତ ବ୍ୟବହାର ପାଇଁ ଏହି ପଦକ୍ଷେପ ନିଆଯାଇଛି।
ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ସରକାରୀ କାର୍ଯ୍ୟ ପାଇଁ ଯାନବାହାନ ବ୍ୟବହାର କରୁଥିବା ଅଧିକାରୀମାନେ ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ ‘ରାଇଡ୍ ସେୟାରିଂ’ ବ୍ୟବସ୍ଥା ଅନୁସରଣ କରିବେ। ଏହା ଦ୍ୱାରା ଅନାବଶ୍ୟକ ଇନ୍ଧନ ବ୍ୟୟ ହ୍ରାସ ପାଇବା ସହ ଶକ୍ତି ସଂରକ୍ଷଣରେ ସହାୟତା ମିଳିବ ବୋଲି ସରକାର ଆଶା କରୁଛନ୍ତି।
ଏହି ପୁଲିଂ ବ୍ୟବସ୍ଥାର ସମନ୍ୱୟ ଦାୟିତ୍ୱ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗଦେଉଥିବା ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ। ସେହିପରି କାର୍ଯ୍ୟାଳୟ ସମୟରେ ମଧ୍ୟାହ୍ନ ଭୋଜନ କିମ୍ବା ଅଣ-ଅତ୍ୟାବଶ୍ୟକ କ୍ଷୁଦ୍ର ଦୂରତା ଯାତ୍ରା ପାଇଁ ସରକାରୀ ଯାନ ବ୍ୟବହାର ନ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଅଳ୍ପ ଦୂରତା ପାଇଁ ପଦଯାତ୍ରା, ସହଭାଗୀ ପରିବହନ କିମ୍ବା ଅନ୍ୟ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବାକୁ ମଧ୍ୟ ଉତ୍ସାହିତ କରାଯାଇଛି।
ସରକାରଙ୍କ ମତାନୁସାରେ, ଏହି ସାମୂହିକ ଓ ସଚେତନ ପଦକ୍ଷେପ ମାଧ୍ୟମରେ ପ୍ରଶାସନିକ ଶୃଙ୍ଖଳା ବୃଦ୍ଧି ପାଇବା ସହ ବର୍ତ୍ତମାନର ଆର୍ଥିକ ଓ ଶକ୍ତି ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରାଯାଇପାରିବ।




