ଅଳ୍ପକେ ବର୍ତ୍ତିଲେ ୬୮ ଯାତ୍ରୀ, ଦିଲ୍ଲୀ-ମୁମ୍ବାଇ ରେଳ ଚଳାଚଳ ବାଧାପ୍ରାପ୍ତ

ଦିଲ୍ଲୀ: ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ (୧୨୪୩୧)ରେ ରବିବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ଟ୍ରେନର ଦୁଇଟି କୋଚ୍‌ରେ ନିଆଁ ଲାଗିଯିବା ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଏହି ଦୁର୍ଘଟଣା ଲୁଣୀ-ବିକ୍ରମଗଡ଼ ରେଳ ଷ୍ଟେସନ ମଧ୍ୟରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଭେନ୍ଦ୍ରମରୁ ହଜରତ ନିଜାମୁଦ୍ଦିନ ଯାଉଥିବା ଏହି ରାଜଧାନୀ ଏକ୍ସପ୍ରେସ ରତଲାମ ଷ୍ଟେସନରୁ ଛାଡ଼ିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନକୁ ଅଟକାଇ ରଖାଯାଇଛି।

ସକାଳ ପ୍ରାୟ ୫:୩୦ ସମୟରେ ଲୁଣୀ-ବିକ୍ରମଗଡ଼ ମଧ୍ୟରେ ଟ୍ରେନର ବି-୧ (B-1) କୋଚ୍‌ରେ ହଠାତ ନିଆଁ ଲାଗିଯାଇଥିଲା। ଗାର୍ଡ ତୁରନ୍ତ ଏ ସମ୍ପର୍କରେ ଲୋକୋ ପାଇଲଟ୍‌ଙ୍କୁ ସୂଚନା ଦେଇଥିଲେ, ଯାହା ପରେ ଟ୍ରେନକୁ ତତ୍କାଳ ଅଟକାଇ ଦିଆଯାଇଥିଲା। ଦୁର୍ଘଟଣା ପରେ ରେଳ କର୍ମଚାରୀମାନେ ତତ୍ପରତା ଦେଖାଇ ପ୍ରାୟ ୬୮ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଅନ୍ୟ କୋଚ୍‌କୁ ସିଫ୍ଟ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମ ଆରମ୍ଭ କରିଥିଲେ।

ଏହି ଘଟଣାଟି କୋଟା ରେଳ ମଣ୍ଡଳ ଅଧୀନରେ ଘଟିଛି। ନିଆଁ ଲାଗିବା ଯୋଗୁଁ ଦୁଇଟି ଯାକ କୋଚ୍ ସମ୍ପୂର୍ଣ୍ଣ ଜଳି ଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ରତଲାମ ରେଳ ମଣ୍ଡଳର ଜନସମ୍ପର୍କ ଅଧିକାରୀ ମୁକେଶ କୁମାରଙ୍କ କହିବା ଅନୁଯାୟୀ, “କୋଟା କଣ୍ଟ୍ରୋଲରୁ ସକାଳ ୦୫:୨୦ ରେ ଟ୍ରେନ ସଂଖ୍ୟା ୧୨୪୩୧ ର B-1 କୋଚ୍‌ରେ ନିଆଁ ଲାଗିଥିବା ନେଇ ରତଲାମ କଣ୍ଟ୍ରୋଲକୁ ସୂଚନା ମିଳିଥିଲା। ଘଟଣାଟି କୋଟା ମଣ୍ଡଳର ଲୁଣୀ ଏବଂ ବିକ୍ରମଗଡ଼ ଆଲୋଟ୍ ଷ୍ଟେସନ ମଧ୍ୟରେ ଘଟିଛି। ଏଥିରେ କେହି ହତାହତ ହୋଇନାହାନ୍ତି। ରତଲାମରୁ ଦୁର୍ଘଟଣା ରିଲିଫ୍ ଟ୍ରେନ (ART) ଏବଂ ଟାୱାର ୱାଗନ ଘଟଣାସ୍ଥଳକୁ ପଠାଯାଇଛି।”

ଘଟଣା ସମ୍ପର୍କରେ ସୂଚନା ପାଇ ରତଲାମ ରେଳ ମଣ୍ଡଳର ଡିଆରଏମ (DRM) ଅଶ୍ୱନୀ କୁମାରଙ୍କ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ବଳ ମଧ୍ୟ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି।