ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ତଣାତଣି ଆହୁରି ଗଭୀର ରୂପ ନେଇଛି। ହର୍ମୁଜ୍‌ ପ୍ରଣାଳୀକୁ କେନ୍ଦ୍ର କରି ଚାଲିଥିବା ନୌସେନା ଘେରାବନ୍ଦୀ ପ୍ରସଙ୍ଗରେ ଇରାନ ଆମେରିକାକୁ କଡ଼ା ଚେତାବନୀ ଦେଇଛି। ଇରାନ କହିଛି, ଯଦି ଆମେରିକୀୟ ନୌସେନା ତାଙ୍କ ଘେରାବନ୍ଦୀ ହଟାଇନଥାଏ, ତେବେ ଓମାନ ସାଗରକୁ ଆମେରିକୀୟ ସେନାଙ୍କ କବରସ୍ଥାନରେ ପରିଣତ କରାଯିବ।

ଇରାନର ଏକ୍ସପେଡିଏନ୍ସି କାଉନସିଲ ସଦସ୍ୟ ଏବଂ ଇସଲାମିକ୍‌ ରିଭୋଲୁସନାରୀ ଗାର୍ଡ କର୍ପସ୍‌ (IRGC)ର ପୂର୍ବତନ କମାଣ୍ଡର ମୋହସେନ ରେଜାୟି ସରକାରୀ ଟିଭିରେ ଭାଷଣ ଦେଇ ଏହି ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକା କରୁଥିବା ନୌସେନା ଅବରୋଧ ଏକ ପ୍ରକାର ଯୁଦ୍ଧ ସଦୃଶ ପଦକ୍ଷେପ।

ରେଜାୟିଙ୍କ ଅନୁସାରେ, ଆମେରିକା ଯେତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଅବରୋଧ ଜାରି ରଖିବ, ତାହାର ପ୍ରଭାବ କେବଳ ଇରାନ ନୁହେଁ, ସମଗ୍ର ବିଶ୍ୱ ଉପରେ ପଡ଼ିବ। ବିଶେଷ କରି ବିଶ୍ୱ ତେଲ ପରିବହନ ବ୍ୟବସ୍ଥା ଏଥିରେ ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି।

ସେ ଆହୁରି କହିଛନ୍ତି ଯେ, ଇରାନ ନିଜ ସୁରକ୍ଷା ଏବଂ ସାମୁଦ୍ରିକ ଅଧିକାର ସୁରକ୍ଷିତ ରଖିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏହି ସଙ୍କଟ ଦୂର କରିବାକୁ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିବା ସତ୍ତ୍ୱେ ଆମେରିକାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଇରାନ ପ୍ରଶ୍ନ ଉଠାଇଛି।