ୱାସିଂଟନ: ବିଶ୍ୱ ଭୂ-ରାଜନୈତିକ ସଙ୍କଟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତାମାନଙ୍କ ଷ୍ଟକ୍ କାରବାରକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏକ ରିପୋର୍ଟ ଅନୁସାରେ, ଗତ ୯୦ ଦିନ ମଧ୍ୟରେ ଟ୍ରମ୍ପ ଏବଂ ତାଙ୍କ ନିକଟସ୍ଥମାନେ ୩,୭୦୦ରୁ ଅଧିକ ଷ୍ଟକ୍ କାରବାର କରି କୋଟି କୋଟି ଡଲାର ମୂଲ୍ୟର ସେୟାର କ୍ରୟ କରିଛନ୍ତି। ଏହି ତଥ୍ୟ ପ୍ରକାଶ ପାଇବା ପରେ ଟ୍ରମ୍ପଙ୍କ ଆର୍ଥିକ କାରବାରକୁ ନେଇ ନୂତନ ଯାଞ୍ଚ ଆରମ୍ଭ ହୋଇଛି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଟ୍ରମ୍ପ ପ୍ରତିଦିନ ହାରାହାରି ୪୦ରୁ ଅଧିକ କାରବାର କରିଥିଲେ। ଏହା ପୂର୍ବ ତ୍ରୈମାସିକ ତୁଳନାରେ ବହୁତ ଅଧିକ ବୋଲି କୁହାଯାଇଛି। ଟ୍ରମ୍ପ ନିଭିଡିଆ, ଓରାକିଲ୍‌, ମାଇକ୍ରୋସଫ୍ଟ ଏବଂ ବୋଇଂ ଭଳି କମ୍ପାନିରେ କମରେ କମ୍ ୧ ନିୟୁତ ଡଲାରର ସେୟାର କିଣିଥିବା ସୂଚନା ମିଳିଛି। ସେହିପରି ତାଙ୍କ ପୋର୍ଟଫୋଲିଓରେ ଆମାଜନ, ମେଟା ଏବଂ ୟୁବର ଭଳି କମ୍ପାନିର ସେୟାର ମଧ୍ୟ ରହିଛି।

ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୧୦ ତାରିଖରେ ଟ୍ରମ୍ପ ମାଇକ୍ରୋସଫ୍ଟ, ମେଟା ଏବଂ ଆମାଜନର ୫ ନିୟୁତରୁ ୨୫ ନିୟୁତ ଡଲାର ମୂଲ୍ୟର ହୋଲ୍ଡିଂ ବିକ୍ରି କରିଥିଲେ। ନେଟଫ୍ଲିକ୍ସ, ୱାର୍ନର ବ୍ରୋସ୍ ଡିସକଭରି ଏବଂ ପାରାମାଉଣ୍ଟ ଗ୍ଲୋବାଲ ଭଳି ମିଡିଆ କମ୍ପାନିରେ ମଧ୍ୟ ସେ ନିବେଶ କରିଥିବା ଜଣାପଡ଼ିଛି।

ଏହି କମ୍ପାନିଗୁଡ଼ିକ ଆମେରିକା ସରକାରଙ୍କ ନୀତି, ପ୍ରତିରକ୍ଷା ଚୁକ୍ତିନାମା ଓ ଭୂ-ରାଜନୈତିକ ନିଷ୍ପତ୍ତି ସହ ସିଧାସଳଖ ଭାବେ ଜଡିତ ଥିବାରୁ ଏହାକୁ ନେଇ ସ୍ୱାର୍ଥ ସଂଘାତ ପ୍ରସଙ୍ଗ ଉଠିଛି। ବିଶେଷକରି ନିଭିଡିଆ ଚୀନକୁ ଏଆଇ ଚିପ୍ସ ରପ୍ତାନି ପାଇଁ ୱାସିଂଟନର ଅନୁମତି ଆବଶ୍ୟକ କରୁଥିବାବେଳେ ବୋଇଂ ସରକାରୀ ପ୍ରତିରକ୍ଷା ଓ ମହାକାଶ ଚୁକ୍ତି ଉପରେ ନିର୍ଭର କରେ।

ଏହାସହ ଇରାନକୁ ନେଇ ଟ୍ରମ୍ପଙ୍କ ସାର୍ବଜନୀନ ମନ୍ତବ୍ୟ ପୂର୍ବରୁ ତେଲ ଓ ଷ୍ଟକ୍ ଫ୍ୟୁଚର୍ସ ବଜାରରେ ଅସାମାନ୍ୟ କାରବାର ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଟ୍ରମ୍ପଙ୍କ ମନ୍ତବ୍ୟ ପରେ ତେଲ ଦର କମିଥିବାବେଳେ ଷ୍ଟକ୍ ବଜାର ବୃଦ୍ଧି ପାଇଥିଲା। ଏହା ପରେ ରାଜନୈତିକ ସୂଚନା ଏବଂ ବଜାର କାରବାର ମଧ୍ୟରେ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି କାରବାର ସହ ଟ୍ରମ୍ପଙ୍କ ସିଧାସଳଖ ସଂପୃକ୍ତିର କୌଣସି ପ୍ରମାଣ ସାର୍ବଜନୀନ ଭାବେ ପ୍ରକାଶ ପାଇନଥିଲେ ମଧ୍ୟ, ତାଙ୍କ ଆର୍ଥିକ କାରବାର ଓ ସରକାରୀ ନୀତି ନିଷ୍ପତ୍ତିକୁ ନେଇ ଏବେ ଆମେରିକାର ରାଜନୀତିରେ ତୀବ୍ର ବିତର୍କ ଆରମ୍ଭ ହୋଇଛି।