ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଓ ୟୁରିଆ ସାର ଯୋଗାଣକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଓଡ଼ିଶାରେ ତେଲର କୌଣସି ଅଭାବ ନାହିଁ। ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରୟୋଜନୀୟ ପରିମାଣର ପେଟ୍ରୋଲ ଓ ଡିଜେଲ ମଜୁତ ରହିଛି।

ସେ କହିଛନ୍ତି ଯେ ପେଟ୍ରୋଲ ପମ୍ପଗୁଡ଼ିକରେ ସାଧାରଣ ଭାବେ ଯୋଗାଣ ଚାଲିଛି ଏବଂ ଲୋକମାନେ ଅଯଥା ଭିଡ଼ କରିବା କିମ୍ବା ଅତିରିକ୍ତ ତେଲ ସଂଗ୍ରହ କରିବାରୁ ବିରତ ରହିବା ଉଚିତ। ଆତଙ୍କିତ ହୋଇ ଅଧିକ ପରିମାଣରେ ତେଲ କିଣିଲେ କୃତ୍ରିମ ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ଥିବା ସେ ଚେତାବନୀ ଦେଇଛନ୍ତି।

ମୁଖ୍ୟ ସଚିବ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିର ସୁଯୋଗ ନେଇ କଳାବଜାରି କରୁଥିବା କିମ୍ବା ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। କଳାବଜାରକୁ ରୋକିବା ପାଇଁ ଚଢ଼ଉ ଜାରି ରହିଥିବାବେଳେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେଲ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ଯୋଗାଣ ବିଭାଗ ଓ ତୈଳ କମ୍ପାନିମାନଙ୍କ ମଧ୍ୟରେ ନିରନ୍ତର ସମନ୍ୱୟ ଚାଲିଥିବା ସରକାର କହିଛନ୍ତି। ଏହା ସହ ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ଓଡ଼ିଶାରେ ତେଲ ଓ ଗ୍ୟାସ୍‌ ଯୋଗାଣ ସଂପୂର୍ଣ୍ଣ ସ୍ଥିର ରହିଛି ଏବଂ ଟର୍ମିନାଲ, ଡିପୋ ଓ ପେଟ୍ରୋଲ ପମ୍ପଗୁଡ଼ିକ ସାଧାରଣ ଭାବେ କାର୍ଯ୍ୟ କରୁଛି।

ସରକାର ଓ ତୈଳ କମ୍ପାନିମାନେ ଲୋକମାନଙ୍କୁ ଆବଶ୍ୟକତା ଅନୁଯାୟୀ ମାତ୍ର ତେଲ କିଣିବା ଏବଂ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଆହ୍ବାନ କରିଛନ୍ତି।