ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୬୩ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଦମଦାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟ୍ରେ ପରାସ୍ତ କରିଛି। ଦଳର ବିଜୟରେ ଈଶାନ କିଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ନିର୍ଣ୍ଣାୟକ ଭୂମିକା ନେଇଥିଲା।
୧୮୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ହାଇଦ୍ରାବାଦ ଆରମ୍ଭରୁ ଦୁଇଟି ଝଟକା ଖାଇଥିଲା। ଟ୍ରାଭିସ ହେଡ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିବାବେଳେ ଅଭିଷେକ ଶର୍ମା ୨୬ ରନ୍ କରି ପେଭିଲିୟନ ଫେରିଥିଲେ। ତେବେ ଏହାପରେ ଈଶାନ କିଶନ ଇନିଂସକୁ ସମ୍ଭାଳି ଦଳକୁ ବିଜୟ ଦିଗରେ ନେଇଥିଲେ।
ଈଶାନ ୭୦ ରନ୍ର ଚମତ୍କାର ଇନିଂସ ଖେଳିଥିବାବେଳେ ହେନ୍ରିକ କ୍ଲାସେଁ ୨୬ ବଲ୍ରୁ ୪୭ ରନ୍ କରି ତାଙ୍କୁ ଭଲ ସହଯୋଗ କରିଥିଲେ। କ୍ଲାସେଁଙ୍କ ଇନିଂସରେ ୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଫଳରେ ହାଇଦ୍ରାବାଦ ସହଜରେ ଲକ୍ଷ୍ୟ ଅତିକ୍ରମ କରିଥିଲା।
ଏହା ପୂର୍ବରୁ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଟସ୍ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା। ସଂଜୁ ସାମସନ ୧୩ ବଲ୍ରୁ ୨୭ ରନ୍ କରି ଦଳକୁ ଦ୍ରୁତ ଆରମ୍ଭ ଦେଇଥିଲେ। ଡେୱାଲ୍ଡ ବ୍ରେଭିସ୍ ୨୭ ବଲ୍ରୁ ୪୪ ରନ୍ କରି ସର୍ବାଧିକ ସ୍କୋର କରିଥିବାବେଳେ କାର୍ତ୍ତିକ ଶର୍ମା ୩୨ ଓ ଶିଭମ ଦୁବେ ୨୬ ରନ୍ର ଯୋଗଦାନ ଦେଇଥିଲେ।
ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସାକିବ ହୁସେନ ମଧ୍ୟ ୨ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ପ୍ରଫୁଲ୍ଲ ହିଙ୍ଗେ ଓ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।




