ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୬୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୭ ୱିକେଟ୍‌ରେ ପରାସ୍ତ କରିଛି। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍‌ରେ ୨୨୧ ରନ୍‌ର ବିଶାଳ ଲକ୍ଷ୍ୟକୁ ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିଥିଲା।

ରାଜସ୍ଥାନର ବିଜୟର ନାୟକ ଥିଲେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ଧୁଆଁଧାର ବ୍ୟାଟିଂ କରି ୩୮ଟି ବଲ୍‌ରେ ୭ଟି ଚୌକା ଓ ୧୦ଟି ଛକା ସହ ଦମଦାର ଇନିଂସ ଖେଳିଥିଲେ। ତାଙ୍କ ବିସ୍ଫୋରକ ପାଳି ଲକ୍ଷ୍ନୌ ବୋଲରଙ୍କୁ ଚାପରେ ପକାଇଥିଲା। ମୋହସିନ୍‌ ଖାନଙ୍କ ବଲ୍‌ରେ ଅବଦୁଲ ସାମଦଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ।

ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ସେ ୨୩ଟି ବଲ୍‌ରେ ୮ଟି ଚୌକା ଓ ଗୋଟିଏ ଛକା ସହ ୪୩ ରନ୍‌ କରିଥିଲେ। ଜୟସ୍ବାଲ ଓ ବୈଭବ ପ୍ରଥମ ୱିକେଟ୍‌ ପାଇଁ ୭୫ ରନ୍‌ର ଭାଗିଦାରୀ କରି ଦଳର ବିଜୟର ଭିତ୍ତି ତିଆରି କରିଥିଲେ। ପରେ ଧ୍ରୁବ ଜୁରେଲ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟ ମଞ୍ଚରେ ପହଞ୍ଚାଇଥିଲେ। ସେ ୩୮ଟି ବଲ୍‌ରେ ୩ଟି ଚୌକା ଓ ୩ଟି ଛକା ସହ ୫୩ ରନ୍‌ କରିଥିଲେ।

ଏହାପୂର୍ବରୁ ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୨୨୦ ରନ୍‌ ସଂଗ୍ରହ କରିଥିଲା। ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ଶ ବିସ୍ଫୋରକ ବ୍ୟାଟିଂ କରି ୯୬ ରନ୍‌ କରିଥିଲେ। ସେ ୫୭ଟି ବଲ୍‌ରେ ୧୧ଟି ଚୌକା ଓ ୫ଟି ଛକା ମାରିଥିଲେ। ତେବେ ଶତକରୁ ମାତ୍ର ୪ ରନ୍‌ ଦୂରରେ ରହି ଆଉଟ୍‌ ହୋଇଥିଲେ।

ମାର୍ଶ ଓ ଜୋଶ ଇଂଲିଶ ପ୍ରଥମ ୱିକେଟ୍‌ ପାଇଁ ୧୦୯ ରନ୍‌ର ଶତକୀୟ ଭାଗିଦାରୀ କରିଥିଲେ। ଇଂଲିଶ ୨୯ଟି ବଲ୍‌ରେ ୭ଟି ଚୌକା ଓ ୩ଟି ଛକା ସହ ୬୦ ରନ୍‌ କରିଥିଲେ। ନିକୋଲାସ ପୂରନ ୧୬ ଏବଂ ଅଧିନାୟକ ଋଷଭ ପନ୍ତ ୩୫ ରନ୍‌ କରିଥିଲେ।

ରାଜସ୍ଥାନ ପକ୍ଷରୁ ୟଶ ରାଜ ପୁଞ୍ଜା ସର୍ବାଧିକ ୨ଟି ୱିକେଟ୍‌ ନେଇଥିବା ବେଳେ ଜୋଫ୍ରା ଆର୍ଚ୍ଚର ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ।