ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ସମୟରେ ଏକ ସନ୍ଦେହଜନକ ଫୋନ୍ କଲ୍ ସିବିଆଇକୁ ବଡ଼ ସୁତ୍ର ଦେଇଛି। ଏହି ଫୋନ୍ କଲ୍ ଆଧାରରେ ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଓ କେରଳ ପର୍ଯ୍ୟନ୍ତ ପ୍ରସାରିତ ଏକ ବହୁରାଜ୍ୟ ନେଟୱର୍କର ପର୍ଦାଫାସ ହୋଇଥିବା ସୂଚନା ମିଳିଛି। ଏହି ନେଟୱର୍କରେ ଏମ୍ବିବିଏସ୍ ଛାତ୍ର, କୋଚିଂ ସେଣ୍ଟର ସଂଚାଳକ, ମଧ୍ୟସ୍ଥି ଓ କଥିତ ପ୍ରଶ୍ନପତ୍ର ଯୋଗାଣକାରୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି।
ସିବିଆଇ ଦ୍ୱାରା ଗିରଫ ଅମିତ ମୀନାଙ୍କୁ ପଚରାଉଚରା କରାଯାଉଥିବା ବେଳେ ଋଷି ନାମକ ଜଣେ ଯୁବକଙ୍କ ଫୋନ୍ ଆସିଥିଲା। ସେ ଫୋନ୍ରେ “ଦେୟ କାହିଁକି ଦିଆଯାଇନି?” ବୋଲି ପଚାରିବା ସହ “୨୦୨୭ରେ ଆହୁରି ଅଧିକ ଟଙ୍କା ରୋଜଗାର କରାଇଦେବି” ବୋଲି କହିଥିବା ତଦନ୍ତକାରୀ ସଂସ୍ଥା ଜାଣିପାରିଥିଲା।
ଏହି କଥାବାର୍ତ୍ତା ପରେ ଅନୁସନ୍ଧାନକାରୀମାନେ ତୁରନ୍ତ ମୀନାଙ୍କୁ ଋଷିଙ୍କୁ ମିଟିବାକୁ ଡାକିବାକୁ କହିଥିଲେ। କିନ୍ତୁ ଋଷି ସନ୍ଦେହ କରି ହଠାତ୍ ଫୋନ୍ କାଟି ଦେଇଥିଲେ। ପରେ ତଦନ୍ତରେ ଜଣାପଡ଼ିଥିଲା ଯେ, ଋଷି ଏହି ପେପର ଲିକ୍ ଚକ୍ରାନ୍ତର ମୁଖ୍ୟ ସୂତ୍ରଧାରମାନଙ୍କ ମଧ୍ୟରୁ ଜଣେ।
ପଚରାଉଚରା ସମୟରେ ଅମିତ ମୀନା ସ୍ୱୀକାର କରିଥିଲେ ଯେ, ସେ ୫ ଲକ୍ଷ ଟଙ୍କାରେ ନିଟ୍ ପ୍ରଶ୍ନପତ୍ର କିଣିଥିଲେ ଏବଂ ପରେ ଏହାକୁ ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ମୀନାଙ୍କ ବୟାନ ଆଧାରରେ ଏସ୍ଓଜି ଟିମ୍ ଜୟପୁରର ଜାମୱାରାମଗଡ଼ରେ ଚଢ଼ାଉ କରି ଋଷିଙ୍କ ବାପା ଦିନେଶ ବିୱାଲଙ୍କୁ ଅଟକ ରଖିଥିଲା।
ବର୍ତ୍ତମାନ ସିବିଆଇ ଓ ଏସ୍ଓଜି ମିଶି ହ୍ୱାଟ୍ସଆପ୍ ଗ୍ରୁପ୍, ଟେଲିଗ୍ରାମ ଚ୍ୟାନେଲ୍, ବ୍ୟାଙ୍କ ଲେନଦେନ ଓ ଯୋଗାଯୋଗ ରେକର୍ଡର ଖୋଜଖବର ନେଉଛନ୍ତି। ଏକାଧିକ ରାଜ୍ୟରେ କୋଚିଂ ସେଣ୍ଟର, ମଧ୍ୟସ୍ଥି ଓ ଡାକ୍ତରୀ ଛାତ୍ରଙ୍କ ଭୂମିକାକୁ ନେଇ ତଦନ୍ତ ଜୋରଦାର କରାଯାଇଛି।




