ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ ଘଟିବା ପରେ ହଜାର ହଜାର ତୀର୍ଥଯାତ୍ରୀ ଫସି ରହିଥିଲେ। ତେବେ ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ୍ର ମିଳିତ ଉଦ୍ଧାରକାରୀ ଦଳ ରାତିସାରା ଅଭିଯାନ ଚାଳାଇ ୧୦,୪୫୦ ଜଣ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି।
ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ରୁଦ୍ରପ୍ରୟାଗ ଜିଲ୍ଲାର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଥିବା ମୁଙ୍କାଟିଆ ଅଞ୍ଚଳରେ ହଠାତ୍ ଭୂସ୍ଖଳନ ଘଟିଥିଲା। ଏଥିରେ କେଦାରନାଥ ଯାତ୍ରାର ମୁଖ୍ୟ ରାସ୍ତା ଅବରୋଧ ହୋଇ ଯାଇଥିଲା। ଫଳରେ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ରାସ୍ତାର ଦୁଇ ପାର୍ଶ୍ୱରେ ଫସି ରହିଥିଲେ।
ରାତିର ଅନ୍ଧାର, ଖରାପ ପାଗ ଏବଂ ପାହାଡ଼ ଅଞ୍ଚଳରୁ ଲଗାତାର ଖସୁଥିବା ମାଟି ଓ ପାଥର ଉଦ୍ଧାର କାର୍ଯ୍ୟକୁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କରିଥିଲା। ତଥାପି ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ୍ର ମିଳିତ ଟିମ୍ ସାହସିକ ଭାବେ ଅଭିଯାନ ଚାଳାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାର କରାଇଥିଲେ।
ରୁଦ୍ରପ୍ରୟାଗ ଡିସିଆର୍ ପକ୍ଷରୁ ରାତି ୯ଟା ୧୬ ମିନିଟ୍ରେ ଏସ୍ଡିଆର୍ଏଫ୍କୁ ସୂଚନା ଦିଆଯାଇଥିଲା। ଏହାପରେ ସବ୍-ଇନ୍ସପେକ୍ଟର ଆଶିଷ ଡିମିରିଙ୍କ ନେତୃତ୍ୱରେ ଏକ ଦଳ ଆବଶ୍ୟକ ଉଦ୍ଧାର ସାମଗ୍ରୀ ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶାଳ ମିଶ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୬.୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କେଦାରନାଥ ଧାମ ଦର୍ଶନ କରିସାରିଛନ୍ତି। ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।




