ଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଗୁରୁବାର ଦିନ ଏକ ସତର୍କ ସୂଚନା (ଆଡଭାଇଜରୀ) ଜାରି କରାଯାଇଛି। ଏବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା କିମ୍ବା ସେହି ବାଟ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ଅସୁସ୍ଥ ଅନୁଭବ କରନ୍ତି, ତେବେ ତୁରନ୍ତ ବିମାନବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପାଇଁ ଏଥିରେ ଅନୁରୋଧ କରାଯାଇଛି।
ଏବୋଲା ଭୂତାଣୁ ରୋଗ (EVD) ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ସତର୍କତା ଜାରି କରାଯାଇଛି।ଏହି ସୂଚନାରେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DRC), ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ସଂବେଦନଶୀଳ ବା ବିପଦପୂର୍ଣ୍ଣ ଦେଶ ଭାବେ ଚିହ୍ନଟ କରାଯାଇଛି। ଏଥିସହ ଜ୍ୱର, ଦୁର୍ବଳତା, ମୁଣ୍ଡବିନ୍ଧା, ମାଂସପେଶୀ ଜନିତ ଯନ୍ତ୍ରଣା, ବାନ୍ତି, ଝାଡ଼ା, ଅକାରଣରେ ରକ୍ତସ୍ରାବ ଏବଂ ଗଳା କଷ୍ଟ ଭଳି ଲକ୍ଷଣଗୁଡ଼ିକୁ ଏହି ରୋଗର ମୁଖ୍ୟ ଲକ୍ଷଣ ଭାବେ ଦର୍ଶାଯାଇଛି।
ଯେଉଁ ଯାତ୍ରୀମାନେ ସନ୍ଦିଗ୍ଧ କିମ୍ବା ନିଶ୍ଚିତ ଏବୋଲା ରୋଗୀଙ୍କ ରକ୍ତ କିମ୍ବା ଶରୀରର ଅନ୍ୟ କୌଣସି ତରଳ ପଦାର୍ଥ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଇମିଗ୍ରେସନ କ୍ଲିୟରାନ୍ସ ପୂର୍ବରୁ ସ୍ୱାସ୍ଥ୍ୟ ଡେସ୍କରେ ରିପୋର୍ଟ କରିବାକୁ କୁହାଯାଇଛି।ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି ଯାତ୍ରୀ ଭାରତରେ ପହଞ୍ଚିବାର ୨୧ ଦିନ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାନ୍ତି, ତେବେ ସେମାନେ ତୁରନ୍ତ ଚିକିତ୍ସା ସହାୟତା ନେବା ସହ ନିଜର ଯାତ୍ରା ଇତିହାସ (ଟ୍ରାଭେଲ ହିଷ୍ଟ୍ରି) ବିଷୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇବା ଜରୁରୀ।
ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ (IHR) ଅନୁଯାୟୀ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ସ୍କ୍ରିନିଂ ଏବଂ ସାଧାରଣ ସ୍ୱାସ୍ଥ୍ୟ ରକ୍ଷା ପଦକ୍ଷେପଗୁଡ଼ିକରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।କଙ୍ଗୋର କ୍ରାନ୍ତୀୟ ଜଙ୍ଗଲରେ ସୀମିତ ଥିବା ଏହି ଏବୋଲା ଭୂତାଣୁ ରୋଗ, ସଂକ୍ରମିତ ବ୍ୟକ୍ତିଙ୍କ ଶରୀରର ତରଳ ପଦାର୍ଥ କିମ୍ବା ଦୂଷିତ ସାମଗ୍ରୀର ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କଙ୍ଗୋରେ ୫୧ ଟି ମାମଲା ନିଶ୍ଚିତ କରିଛି, କିନ୍ତୁ ବାସ୍ତବରେ ଏହି ସଂକ୍ରମଣର ମାତ୍ରା ଆହୁରି ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।ଭାରତରେ ଏହି ଭୂତାଣୁର ସମ୍ଭାବ୍ୟ ପ୍ରବେଶକୁ ରୋକିବା ଏବଂ ସ୍ୱାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ସତର୍କ ସୂଚନା ଜାରି କରାଯାଇଛି।




