ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଞ୍ଜନଗର ଏନଏସି (NAC) ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନକୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ୪ଟି ମୋଟରସାଇକେଲରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଆସି ପୌର ଅଧ୍ୟକ୍ଷଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ଚିହ୍ନଟ ଏଡ଼ାଇବା ପାଇଁ ସମସ୍ତ ଗାମୁଛାରେ ମୁହଁ ବାନ୍ଧିଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ଅଧ୍ୟକ୍ଷଙ୍କ ଘରକୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ ବୋମା ଫିଙ୍ଗିଥିଲେ। ବୋମାମାଡ଼ର ବିକଟାଳ ଶବ୍ଦ ଶୁଣି ଆଖପାଖର ଲୋକେ ଆତଙ୍କିତ ଅବସ୍ଥାରେ ଘରୁ ବାହାରକୁ ଚାଲିଆସିଥିଲେ। କେବଳ ବୋମାମାଡ଼ ନୁହେଁ, ବରଂ ବୋମା ଫିଙ୍ଗିବା ସମୟରେ ଅଭିଯୁକ୍ତମାନେ ପାଟିତୁଣ୍ଡ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେଠାରେ ଭୟର ମାହୋଲ ସୃଷ୍ଟି କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ସୌଭାଗ୍ୟବଶତଃ ଏହି ବୋମାମାଡ଼ରେ କେହି ଆହତ ହୋଇନାହାନ୍ତି। ଘଟଣା ସମୟରେ ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସେହି ସମୟରେ ଆଖପାଖ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ଗାଡ଼ିର ମୁଭମେଣ୍ଟ ଟେର ପାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ବାଇକ୍ ଧରି ଚମ୍ପଟ ମାରିଥିଲେ। ଖବର ପାଇ ଭଞ୍ଜନଗର ଥାନା ଆଇଆଇସି (IIC) ଜୀବାନନ୍ଦ ଜେନା ପୋଲିସ ଫୋର୍ସ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଟିମ୍ ସେଠାରୁ ବୋମାମାଡ଼ର କିଛି ଅବଶେଷ ସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଛି।

ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ

ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଏବେ ଘଟଣାସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। ଏହି ଆକ୍ରମଣ ପଛରେ ବ୍ୟକ୍ତିଗତ ଶତ୍ରୁତା, ରାଜନୈତିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି।

ଏହା ଏକ ପୂର୍ବପରିକଳ୍ପିତ ଆକ୍ରମଣ ବୋଲି ପୋଲିସ ସନ୍ଦେହ କରୁଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରର ପ୍ରମୁଖ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।