ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଓ ୟୁଜିସି ନିର୍ଦ୍ଦେଶିକା ଅନୁଯାୟୀ ଓଡ଼ିଶାରେ ସ୍ନାତକ ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଅନୁଭବ ଦେବା ଉଦ୍ଦେଶ୍ୟରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ସାମିଲ କରାଯାଇଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି ଯେ, ସ୍ନାତକ ପାଠ୍ୟକ୍ରମର ଚତୁର୍ଥ ସେମିଷ୍ଟାରରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୬ ସପ୍ତାହିଆ ଇଣ୍ଟର୍ନସିପ୍ରେ ଯୋଗଦେବାର ସୁଯୋଗ ଦିଆଯାଉଛି। ଏହି ସମୟରେ ସେମାନଙ୍କୁ ମେଣ୍ଟରସିପ୍ ସହ ବିଭିନ୍ନ କାର୍ଯ୍ୟାଳୟ ଓ ସଂସ୍ଥାରେ ପ୍ରାୟୋଗିକ ଶିକ୍ଷା ଦିଆଯିବ।
ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ସଂସ୍ଥା, ବେସରକାରୀ ସଂସ୍ଥା ଓ ଏନଜିଓ ମାନଙ୍କରେ ଇଣ୍ଟର୍ନସିପ୍ ସୁଯୋଗ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଇଣ୍ଟର୍ନସିପ୍ରେ ଉପସ୍ଥାନ, ସାପ୍ତାହିକ ରିପୋର୍ଟ, ପ୍ରକଳ୍ପ ଉପସ୍ଥାପନ ଓ କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ କ୍ରେଡିଟ୍ ପ୍ରଦାନ କରାଯିବ। ଏହି କ୍ରେଡିଟ୍ଗୁଡ଼ିକୁ ଆକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ୍ରେ ସଂରକ୍ଷିତ କରାଯିବା ସହ ଇଣ୍ଟର୍ନସିପ୍ ଶେଷରେ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ।
ଚଳିତ ବର୍ଷ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ ଓ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ରେ ଯୋଗଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ସେମାନଙ୍କୁ ନିଯୁକ୍ତ କରାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj କହିଛନ୍ତି ଯେ, ଗୁଣାତ୍ମକ ଓ ଗବେଷଣାମୂଳକ ଶିକ୍ଷା ସହ ପ୍ରାୟୋଗିକ ଅନୁଭବକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ତୃଣମୂଳ ସ୍ତରର କାର୍ଯ୍ୟପ୍ରଣାଳୀ ବିଷୟରେ ଜାଣିପାରିବେ ଏବଂ ଭବିଷ୍ୟତରେ ନିଯୁକ୍ତି ଓ ଉଦ୍ୟମିତା କ୍ଷେତ୍ରରେ ଏହା ସହାୟକ ହେବ।




