ମାଉଣ୍ଟ ଏଭରେଷ୍ଟ ଛୁଇଁଲେ ବିଏସଏଫର ମହିଳା ଟିମ୍; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ବିଜୟ କରି ସୀମା ସୁରକ୍ଷା ବଳ (BSF) ର ପ୍ରଥମ ସର୍ବ-ମହିଳା ଅଭିଯାନ ଦଳ ଏକ ନୂତନ ଇତିହାସ ରଚନା କରିଛନ୍ତି। ଏହି ଅସାଧାରଣ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଏସଏଫ୍ (BSF) ମହିଳା ଦଳକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ ଟିମର ଏହି ଗୌରବମୟ ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶେଷ କରି ବିଏସଏଫର ହୀରକ ଜୟନ୍ତୀ ବର୍ଷରେ ଏହି ସଫଳତା ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏହି ସାହସିକ ପଦକ୍ଷେପ ଭାରତର ‘ନାରୀ ଶକ୍ତି’ ଏବଂ ଭାରତୀୟ କନ୍ୟାମାନଙ୍କ ଅସାଧାରଣ ଦକ୍ଷତାର ପ୍ରକୃତ ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ଚାରି ଜଣିଆ ବିଏସଏଫ ମହିଳା ଦଳ ‘ମିଶନ ବନ୍ଦେ ମାତରମ’ ଅଧୀନରେ ଆଜି ସକାଳ ପ୍ରାୟ ୮ଟା (ଭାରତୀୟ ସମୟ)ରେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ (୮,୮୪୮.୮୬ ମିଟର) ସଫଳତାର ସହ ଆରୋହଣ କରିଛନ୍ତି।
ଯେଉଁ ଉଚ୍ଚତାରେ ସାଧାରଣ ଭାବେ ଠିଆ ହେବା ମଧ୍ୟ ଏକ ବଡ଼ ଆହ୍ୱାନ, ସେଭଳି ଏକ ପ୍ରତିକୂଳ ପରିସ୍ଥିତିରେ ବିଏସଏଫର ଏହି ବୀର ‘ମହିଳା ସୀମା ପ୍ରହରୀ’ମାନେ ଏଭରେଷ୍ଟ ଶୀର୍ଷରେ ଏକ ସ୍ୱରରେ ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରିଥିଲେ। ଏହି ଦୃଶ୍ୟ ସେଠାରେ ଏକ ଐତିହାସିକ ଏବଂ ଭାବପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରିଥିଲା।
ଦଳରେ ସାମିଲ ଥିଲେ ଏହି ୪ ବୀର ମହିଳା:
- କନଷ୍ଟେବଳ କୌସର ଫାତିମା (ଲଦାଖ)
- କନଷ୍ଟେବଳ ମୁନମୁନ ଘୋଷ (ପଶ୍ଚିମବଙ୍ଗ)
- କନଷ୍ଟେବଳ ରବେକା ସିଂ (ଉତ୍ତରାଖଣ୍ଡ)
- କନଷ୍ଟେବଳ ସେରିଙ୍ଗ ଚୋରୋଲ (କାର୍ଗିଲ)
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମଗ୍ର ଅଭିଯାନ ଦଳର ସଦସ୍ୟମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କର ଏହି ଅତୁଳନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।




