ନୂଆଦିଲ୍ଲୀ: ଲେବାନନରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ସେନା ଅଧିକାରୀ Major Abhilasha Barakଙ୍କୁ ୨୦୨୫ ମସିହାର ‘ୟୁଏନ୍ ମିଲିଟାରି ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର’ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମହିଳା ଓ କିଶୋରୀମାନଙ୍କ ସହ ସମ୍ପର୍କ ବୃଦ୍ଧି, ସାମୁଦାୟିକ ସଚେତନତା ଏବଂ ଶାନ୍ତିରକ୍ଷୀମାନଙ୍କ ପାଇଁ ଲିଙ୍ଗ ସମ୍ବେଦନଶୀଳତା ତାଲିମରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ଦିଆଯିବ।

United Nationsରେ ଭାରତର ସ୍ଥାୟୀ ମିଶନ ‘ଏକ୍ସ’ରେ ଏହି ସୂଚନା ଦେଇ କହିଛି ଯେ, ମେଜର ଅଭିଳାଷା ବାରାକ ଲେବାନନରେ ଭାରତୀୟ ବାଟାଲିୟନର ମହିଳା ଏନଗେଜମେଣ୍ଟ ଟିମ୍‌ର କମାଣ୍ଡର ଭାବେ କାମ କରୁଛନ୍ତି। ସେ ସ୍ଥାନୀୟ ମହିଳା ଓ ଝିଅମାନଙ୍କ ସହ ସଂଯୋଗ ସୃଷ୍ଟି କରିବା ସହ ସେମାନଙ୍କ ସୁରକ୍ଷା ଓ ସଚେତନତା ନେଇ କାମ କରିଛନ୍ତି।

ମେଜର ଅଭିଳାଷା ବାରାକ ଭାରତୀୟ ସେନାର ପ୍ରଥମ ମହିଳା ଯୁଦ୍ଧ ହେଲିକପ୍ଟର ପାଇଲଟ ଭାବେ ମଧ୍ୟ ପରିଚିତ। ସେ ମେ’ ୨୯ ତାରିଖରେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଏହି ସମ୍ମାନ ଗ୍ରହଣ କରିବେ। ପ୍ରତିବର୍ଷ ମେ’ ୨୯ରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ଜାତିସଂଘ ଶାନ୍ତିରକ୍ଷୀ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଏ।

ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଅଭିଳାଷା ବାରାକ ହେଉଛନ୍ତି ତୃତୀୟ ଭାରତୀୟ ମହିଳା ସେନା ଅଧିକାରୀ, ଯିଏ ଏହି ସମ୍ମାନ ପାଇବେ। ତାଙ୍କ ପୂର୍ବରୁ Major Suman Gawani ଏବଂ Major Radhika Senଙ୍କୁ ମଧ୍ୟ ଜାତିସଂଘ ଶାନ୍ତିରକ୍ଷା ମିଶନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା।

ହରିୟାଣାର ଅଭିଳାଷା ବାରାକ ୨୦୧୬ରେ Delhi Technological Universityରୁ ସ୍ନାତକ ସମାପ୍ତ କରିଥିଲେ। ପରେ ୨୦୧୭ରେ ଚେନ୍ନାଇର Officers Training Academyରୁ ସେନା ତାଲିମ ନେଇଥିଲେ। ୨୦୨୨ରେ ସେ ଭାରତୀୟ ସେନାର ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ଭାବେ ଇତିହାସ ରଚିଥିଲେ।