ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ Kandhamal districtର G.Udayagiri ବ୍ଲକରେ ଆଜିବି ଅନେକ ଗାଁ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ସେହିପରି ଏକ ଗାଁ ହେଉଛି ମାଲିକାପୋଡି ପଞ୍ଚାୟତ ଅନ୍ତର୍ଗତ ଲଏରେଜୁ। ଗାଁକୁ ରାସ୍ତା ନଥିବାରୁ ରୋଗୀମାନଙ୍କୁ ଆଜିବି ଖଟିଆରେ ବୋହି ପାହାଡ଼ିଆ ରାସ୍ତା ଦେଇ ଆଣିବାକୁ ପଡୁଛି।

ସମ୍ପ୍ରତି ଜଣେ ମହିଳା ରୋଗୀଙ୍କୁ ପରିବାର ଲୋକ ଖଟିଆରେ ବୋହି ଦୁଇ କିଲୋମିଟର ଦୁର୍ଗମ ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଝିରାସ୍ତାରେ ରୋଗୀଙ୍କୁ ପାଣି ପିଆଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଥିବା ଏହି ହୃଦୟବିଦାରକ ଚିତ୍ର ଅଞ୍ଚଳର ଦୁରବସ୍ଥାକୁ ସାମ୍ନାକୁ ଆଣିଛି।

ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତା ଅଭାବରୁ ଜରୁରୀ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଦୈନନ୍ଦିନ ଯାତାୟାତରେ ସେମାନେ ଦୀର୍ଘଦିନ ଧରି ସମସ୍ୟା ଭୋଗୁଛନ୍ତି। ବିକାଶର ଅନେକ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଏହି ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ପହଞ୍ଚିପାରିନାହିଁ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଲଏରେଜୁ ଗାଁକୁ ରାସ୍ତା ନିର୍ମାଣ କରିବା ସମ୍ଭବ ନୁହେଁ। ଏହି କାରଣରୁ ଗ୍ରାମବାସୀଙ୍କୁ ମୁକୁଲିଙ୍ଗିଆ କାଲିଗାଡୁ ପାହାଡ଼ ତଳେ ଜମି ଯୋଗାଇ ଦିଆଯାଇଛି ଏବଂ ସେଠାରେ ସ୍ଥାନାନ୍ତରିତ ହେବାକୁ ପରାମର୍ଶ ଦିଆଯାଇଛି। ତେବେ ଗ୍ରାମବାସୀମାନେ ନିଜ ପୂର୍ବପୁରୁଷର ଜମି, ଚାଷବାସ ଓ ଜୀବିକା ସହ ଜଡିତ ଥିବାରୁ ଗାଁ ଛାଡିବାକୁ ରାଜି ହେଉନାହାନ୍ତି।

ଲଏରେଜୁ ଗାଁରେ ଲୋକମାନେ ଧାନ, ହଳଦୀ ଓ ଅନ୍ୟାନ୍ୟ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହିପରି ପରିସ୍ଥିତିରେ ପ୍ରଶାସନ ଗ୍ରାମବାସୀଙ୍କ ଦୁଃଖ ବୁଝି ସେମାନଙ୍କୁ ବିକାଶ ଧାରାରେ ସାମିଲ କରିବା ସହ ଯାତାୟାତ ସୁବିଧା ଯୋଗାଇ ଦେବାକୁ ଦାବି ଜୋର ଧରିଛି।