ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ରଣଭୀର ସିଂ ‘ଡନ୍ ୩’ (Don 3) ଚଳଚ୍ଚିତ୍ରରୁ ହଠାତ୍ ଓହରିଯିବା ପରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି। ନିର୍ମାତା ଫରହାନ ଅଖତରଙ୍କ ସହ ଚାଲିଥିବା ମାସ ମାସର ବିବାଦ ମଧ୍ୟରେ ‘ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍’ (FWICE) ରଣଭୀରଙ୍କ ବିରୋଧରେ ଏକ ଅସହଯୋଗ ନିର୍ଦ୍ଦେଶ ଜାରି କରିବା ପରେ ଏହି ମାମଲା ଏବେ ଆହୁରି ଗମ୍ଭୀର ହୋଇଛି।

ଏହି ସମଗ୍ର ଘଟଣା ଉପରେ ରଣଭୀରଙ୍କ ପ୍ରବକ୍ତା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଅଭିନେତା “ଜାଣିଶୁଣି ଏପର୍ଯ୍ୟନ୍ତ ନୀରବ ରହିବାକୁ ଶ୍ରେଷ୍ଠ ମଣିଥିଲେ, କାରଣ ସେ ବିଶ୍ୱାସ କରନ୍ତି ଯେ ବ୍ୟାବସାୟିକ ଆଲୋଚନା ଏବଂ ବ୍ୟକ୍ତିଗତ ସମ୍ପର୍କକୁ ସମ୍ମାନ, ପରିପକ୍ୱତା ଓ ପାରସ୍ପରିକ ସାଦର ଭାବ ସହିତ ପରିଚାଳନା କରାଯିବା ଉଚିତ।” ଏହା ସହିତ ରଣଭୀର ‘ଡନ୍’ ଫ୍ରାଞ୍ଚାଇଜର ସଫଳତା କାମନା କରିଛନ୍ତି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ସୋମବାର FWICE ପକ୍ଷରୁ ରଣଭୀରଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। ପ୍ରାୟ ୫ ମାସ ପୂର୍ବେ ଫରହାନ ଅଖତର ଅଭିଯୋଗ କରିଥିଲେ ଯେ, ଶୁଟିଂ ୟୁନିଟ୍ ବାହାରକୁ ଯିବାର ମାତ୍ର ୩ ସପ୍ତାହ ପୂର୍ବରୁ ରଣଭୀର ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ, ଯାହାଫଳରେ ସିନେମା ନିର୍ମାଣରେ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା।

FWICEର ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ କହିଛନ୍ତି ଯେ, ସେମାନେ ପ୍ରତି ୧୦ ରୁ ୧୫ ଦିନରେ ରଣଭୀରଙ୍କୁ ମନେ ପକାଇବା ସହ ତିନୋଟି ଆନୁଷ୍ଠାନିକ ନୋଟିସ୍ ପଠାଇଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। କେବଳ ସେତିକି ବେଳେ ଯେତେବେଳେ ଫେଡେରେସନ୍ ଏକ ପ୍ରେସ୍ କନଫରେନ୍ସ ଡାକିଲା, ରଣଭୀରଙ୍କ ଟିମ୍ ଏକ ମେଲ୍ ପଠାଇ ସଙ୍ଗଠନର କ୍ଷେତ୍ରାଧିକାର ଉପରେ ପ୍ରଶ୍ନ ଉଠାଇଥିଲେ।ଅନ୍ୟପଟେ FWICE ସଭାପତି ବି.ଏନ. ତିୱାରୀ କହିଛନ୍ତି ଯେ, ଏହି ମାମଲା କେବଳ ଦୁଇ ଜଣଙ୍କ ମଧ୍ୟରେ ସୀମିତ ନୁହେଁ।

“ଯେତେବେଳେ ଏକ ଚଳଚ୍ଚିତ୍ରର କାମ ହଠାତ୍ ବନ୍ଦ ହୋଇଯାଏ, ସେତେବେଳେ ଜୁନିୟର କଳାକାର ଏବଂ ଦୈନିକ ମଜୁରିଆମାନେ ମଧ୍ୟ ଆର୍ଥିକ କ୍ଷତି ସହନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “କେହି ଜଣେ ସୁପରଷ୍ଟାର୍ ହୋଇପାରନ୍ତି, କିନ୍ତୁ ସେ ନିୟମ ଏବଂ କାନୁନ୍‌ଠାରୁ ଉପରେ ନୁହନ୍ତି।”ତୁରନ୍ତ ଲାଗୁ ହୋଇଥିବା ଏହି ନିର୍ଦ୍ଦେଶନାମାରେ, FWICE ସହ ଜଡ଼ିତ ସମସ୍ତ କଳାକାର, କର୍ମଚାରୀ ଏବଂ ପ୍ରଯୋଜକ ସଙ୍ଗଠନକୁ ଏହି ବିବାଦର ଆନୁଷ୍ଠାନିକ ସମାଧାନ ନହେବା ପର୍ଯ୍ୟନ୍ତ ରଣଭୀରଙ୍କୁ ବ୍ୟାନ୍ କରିବାରେ ସହଯୋଗ କରିବାକୁ କୁହାଯାଇଛି।