ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି ଅଘୋଷିତ ବିଦ୍ୟୁତ କାଟ୍ । ଗୋଟେ ପଟେ ଅସହ୍ୟ ତାତିରେ ଲୋକେ ହାହାକାର କରୁଛନ୍ତି, ଅନ୍ୟପଟେ ବିଦ୍ୟୁତ ସେବା ସ୍ୱାଭାବିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ହଜାର ହଜାର କର୍ମଚାରୀ ଏବେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ।
ଲୋୟର ପିଏମଜିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣାଭାରତୀୟ ମଜଦୂର ସଂଘ (BMS) ସହ ଅନୁବନ୍ଧିତ ‘ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଙ୍ଘ’ପକ୍ଷରୁ ଆହୁତ ଏହି ଅନିର୍ଦ୍ଦିଷ୍ଟ କାଳୀନ ଧାରଣା ଆଜି ୮ମ ଦିନରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ପାଖାପାଖି ୧୦,୦୦୦ ଠିକା ଓ ଆଉଟସୋର୍ସିଂ ବିଦ୍ୟୁତ କର୍ମଚାରୀ ଦିନରାତି ଧାରଣାରେ ବସି ରହିଛନ୍ତି । ଏଓଡ଼ିଶାରେ ବିଦ୍ୟୁତ ସଙ୍କଟ: ପ୍ରଚଣ୍ଡ ଖରା ସାଙ୍ଗକୁ ଅଘୋଷିତ ପାୱାର କଟ୍, ରାଜରାସ୍ତାରେ ୧୦ ହଜାର କର୍ମଚାରୀହି ପ୍ରଚଣ୍ଡ ଖରାରେ ଆନ୍ଦୋଳନ କରୁଥିବା କେତେକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ସୂଚନା ମିଳିଛି।
ଖର୍ଚ୍ଚ କାଟ ଆଳରେ ବିଦ୍ୟୁତ ବିତରଣ କମ୍ପାନୀ (DISCOMs) ଗୁଡ଼ିକ ପକ୍ଷରୁ କାମ କରୁଥିବା ମିଟର ରୀଡର ଓ ମେକାନିକ ଭଳି ହଜାର ହଜାର କର୍ମଚାରୀଙ୍କୁ ବେଆଇନ ଭାବେ ଛଟେଇ କରାଯାଉଛି । ଏହି ଗଣ ଛଟେଇ ପ୍ରତିବାଦରେ ଏବଂ ନିଜର ଚାକିରି ସୁରକ୍ଷା ଓ ହକ୍ ପାଇଁ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଏହି କର୍ମଚାରୀମାନେ ହିଁ ବିଦ୍ୟୁତ ବିଭାଗର ମେରୁଦଣ୍ଡ ସଦୃଶ । ରାଜ୍ୟର କୌଣସି ବି ସ୍ଥାନରେ ତାର ଛିଣ୍ଡିଲେ, ଟ୍ରାନ୍ସଫର୍ମର ଖରାପ ହେଲେ କିମ୍ବା ବୈଷୟିକ ତ୍ରୁଟି ଦେଖାଦେଲେ ଏହି ଗ୍ରାଉଣ୍ଡ ଷ୍ଟାଫ୍ ତୁରନ୍ତ ପହଞ୍ଚି ମରାମତି କାର୍ଯ୍ୟ କରିଥାନ୍ତି । କିନ୍ତୁ ଏବେ ଏତେ ବଡ଼ ସଂଖ୍ୟାରେ କର୍ମଚାରୀ ଧାରଣାରେ ବସିଥିବାରୁ, ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ବିଦ୍ୟୁତ ସମସ୍ୟାର ସମାଧାନ ସମୟୋଚିତ ଭାବେ ହୋଇପାରୁ ନାହିଁ । ଫଳରେ ସାରା ରାଜ୍ୟରେ ବିଦ୍ୟୁତ ସେବା ଗମ୍ଭୀର ଭାବେ ବ୍ୟାଘାତ ହେବାର ଆଶଙ୍କା ଓଡ଼ିଶାବାସୀଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଛି ।ସରକାର ଏବଂ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଦାବି ପ୍ରତି କେବେ ସକାରାତ୍ମକ ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ।




