ବାଲେଶ୍ୱର: ସାଧାରଣତଃ ଅପରାଧୀଙ୍କୁ ଧରିବା ଏବଂ ମାମଲାର ରହସ୍ୟ ଖୋଲିବାରେ ପୋଲିସର ପରିଚୟ ଥାଏ, କିନ୍ତୁ ସେମାନଙ୍କ ଭିତରେ ବି ଏକ ସ୍ନେହୀ ଓ ସମ୍ବେଦନଶୀଳ ହୃଦୟ ରହିଛି, ତାହା ପୁଣିଥରେ ପ୍ରମାଣିତ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଲୋକନାଥପୁର ଗାଁରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମାଜରେ ପାରିବାରିକ ସମ୍ପର୍କର ପରିଭାଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ପରେ ପାରିବାରିକ ବିବାଦ ଯୋଗୁଁ ନିଜ ପୁଅମାନେ ତାଙ୍କ ଶବକୁ ପ୍ରାୟ ୧୦ ଘଣ୍ଟା କାଳ ଅନାଥ ଭଳି ଛାଡ଼ି ଦେଇଥିବା ବେଳେ ପୋଲିସ କର୍ମଚାରୀମାନେ ଆଗକୁ ଆସି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ମୃତ ବୃଦ୍ଧା ଜଣକ ହେଉଛନ୍ତି ସେହି ଗାଁର ତୁଳସୀ ଦାସ। ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କର ପରଲୋକ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ପରେ ହିଁ ଶେଷକୃତ୍ୟ କିଏ କରିବ, ସେହି କଥାକୁ ନେଇ ମଝିଆ ଓ ସାନ ପୁଅଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। କଳିଝଗଡ଼ା ଏତେ ବଢ଼ିଯାଇଥିଲା ଯେ ପରିବାରର କୌଣସି ସଦସ୍ୟ ମା’ଙ୍କ ଶବକୁ ସ୍ପର୍ଶ କରିବାକୁ କିମ୍ବା ଦାୟିତ୍ୱ ନେବାକୁ ଆଗକୁ ଆସିନଥିଲେ।
ଫଳରେ ସକାଳ ୧୦ଟାରୁ ନେଇ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସେହି ନିରୀହ ମା’ଙ୍କ ଶବ ଘର ବାରଣ୍ଡାରେ ପଡ଼ି ରହିଥିଲା। ପୁଅମାନଙ୍କର ଏଭଳି ଅମାନୁଷିକ ବ୍ୟବହାର ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ରୋଧ ପ୍ରକାଶ ପାଇଥିଲା।
ସଞ୍ଜ ହେବା ପରେ ଯେତେବେଳେ ଏହି ଖବର ଅମର୍ଦ୍ଦା ରୋଡ୍ ଆଉଟପୋଷ୍ଟର ପୋଲିସ ନିକଟରେ ପହଞ୍ଚିଥିଲା, ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାରର କେହି ବି ଶବ ସତ୍କାର ପାଇଁ ରାଜି ନହେବାର ଦେଖି, ପୋଲିସବାବୁମାନେ ନିଜେ ହିଁ ସବୁ ବ୍ୟବସ୍ଥା କରିଥିଲେ ଏବଂ ପୂର୍ଣ୍ଣ ମର୍ଯ୍ୟାଦାର ସହ ତୁଳସୀଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ତୁଳସୀଙ୍କର ତିନି ପୁଅ ଥିଲେ। ବଡ଼ ପୁଅ କେଉଁଆଡ଼େ ନିଖୋଜ ହୋଇଯିବା ପରେ ସେ ଗାଁରେ ନିଜ ସାନ ପୁଅ ସହ ରହୁଥିଲେ। ହେଲେ ଜୀବନର ଶେଷ ସମୟରେ ଯେତେବେଳେ ପୁଅମାନଙ୍କ କାନ୍ଧର ସବୁଠାରୁ ବେଶୀ ଦରକାର ଥିଲା, ସେତେବେଳେ ରକ୍ତର ସମ୍ପର୍କ ପର ପାଲଟିଗଲା ଏବଂ ଖାକି ବର୍ଦ୍ଦିଧାରୀମାନେ ପୁଅର କର୍ତ୍ତବ୍ୟ ନିଭାଇଲେ।




