ନୂଆଦିଲ୍ଲୀ:
Central Board of Secondary Education (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ପାଇଁ ବ୍ୟବହୃତ ଅନସ୍କ୍ରିନ୍ ମାର୍କିଂ (ଓଏସଏମ୍) ସିଷ୍ଟମକୁ ନେଇ ବଡ଼ ସାଇବର ସୁରକ୍ଷା ବିବାଦ ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ସାଇବର ସୁରକ୍ଷା ଗବେଷକ ଏହି ପୋର୍ଟାଲରେ ଗୁରୁତର ସୁରକ୍ଷା ତ୍ରୁଟି ଥିବା ଏବଂ ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାର୍କରେ ହେରଫେର କରାଯାଇପାରିବ ବୋଲି ଦାବି କରିଥିବା ବେଳେ, ସିବିଏସଇ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ଖଣ୍ଡନ କରିଛି।
ନିସର୍ଗ ଅଧିକାରୀ ନାମକ ଯୁବକ ଜଣକ ନିଜ ବ୍ଲଗ୍ରେ ଦାବି କରିଥିଲେ ଯେ, ସିବିଏସଇର ଓଏସଏମ୍ ପୋର୍ଟାଲରେ ଏକ “ମାଷ୍ଟର ପାସୱାର୍ଡ” ଥିଲା, ଯାହା ମାଧ୍ୟମରେ ଯେକୌଣସି ପରୀକ୍ଷକଙ୍କ ଆକାଉଣ୍ଟକୁ ଓଟିପି ବିନା ଲଗ୍ଇନ୍ କରାଯାଇପାରୁଥିଲା। ସେ ଆହୁରି କହିଥିଲେ ଯେ, ସର୍ଭରରୁ ଓଟିପି ସିଧାସଳଖ ବ୍ରାଉଜରକୁ ପଠାଯାଉଥିବାରୁ ନେଟୱର୍କ ଯାଞ୍ଚ କରୁଥିବା ଲୋକମାନେ ଏହାକୁ ଦେଖିପାରୁଥିଲେ।
‘ମାର୍କ ବଦଳାଯାଇପାରୁଥିଲା’ ବୋଲି ଦାବି
ନିସର୍ଗଙ୍କ ଅଭିଯୋଗ ଅନୁଯାୟୀ, ଏହି ସୁରକ୍ଷା ତ୍ରୁଟି ମାଧ୍ୟମରେ ହ୍ୟାକରମାନେ ପରୀକ୍ଷକଙ୍କ ଆକାଉଣ୍ଟ ନିୟନ୍ତ୍ରଣକୁ ନେଇ ଉତ୍ତରଖାତା ଦେଖିବା ସହ ମାର୍କରେ ମଧ୍ୟ ହେରଫେର କରିପାରୁଥିଲେ। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବଡ଼ ଚର୍ଚ୍ଚା ହୋଇଥିବା ବେଳେ କିଛି ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ମଧ୍ୟ ଏହାକୁ ଗୁରୁତର ସୁରକ୍ଷା ତ୍ରୁଟି ବୋଲି କହିଥିଲେ।
ଏହି ଘଟଣା ପରେ Indian Computer Emergency Response Team (ସର୍ଟ-ଇନ୍) ମାମଲାର ପ୍ରାଥମିକ ଯାଞ୍ଚ ଆରମ୍ଭ କରିଥିବା ସୂଚନା ମିଳିଛି।
‘ଅସଲି ପୋର୍ଟାଲ ନୁହେଁ’ ବୋଲି ସିବିଏସଇର ସ୍ପଷ୍ଟୀକରଣ
ଅନ୍ୟପକ୍ଷରେ, ସିବିଏସଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ଯୁବକ ଜଣକ ଯେଉଁ “cbse.onmark.co.in” ୱେବସାଇଟ୍ର ସ୍କ୍ରିନସଟ୍ ଶେୟାର କରିଛନ୍ତି, ତାହା ପ୍ରକୃତ ଖାତା ଦେଖା ପୋର୍ଟାଲ ନୁହେଁ। ବୋର୍ଡ ଅନୁଯାୟୀ, ସେହି ସାଇଟ୍ କେବଳ ଆଭ୍ୟନ୍ତରୀଣ ପରୀକ୍ଷା ପାଇଁ ତିଆରି ହୋଇଥିବା ଏକ “ଟେଷ୍ଟିଂ ସାଇଟ୍” ଥିଲା ଏବଂ ସେଥିରେ କେବଳ କାଳ୍ପନିକ ଡାଟା ରଖାଯାଇଥିଲା।
ବୋର୍ଡ ସ୍ପଷ୍ଟ କରିଛି ଯେ, ଅସଲି ମୂଲ୍ୟାୟନ ପ୍ରକ୍ରିୟା ଏକ ଭିନ୍ନ ଓ ସୁରକ୍ଷିତ ୟୁଆରଏଲ୍ ମାଧ୍ୟମରେ କରାଯାଉଛି ଏବଂ ପ୍ରକୃତ ଡାଟାରେ କୌଣସି ପ୍ରକାର ସାଇବର ଅଘଟଣ ଘଟିନାହିଁ।
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା
ଡିଜିଟାଲ୍ ପଦ୍ଧତିରେ ଖାତା ମୂଲ୍ୟାୟନ ହେଉଥିବା ସମୟରେ ଏଭଳି ସାଇବର ବିବାଦ ସାମ୍ନାକୁ ଆସିବା ଲକ୍ଷାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ତେବେ ସିବିଏସଇ ତାହାର ସମଗ୍ର ମୂଲ୍ୟାୟନ ବ୍ୟବସ୍ଥା ସୁରକ୍ଷିତ ବୋଲି ଦାବି କରିଛି।




