ମୈଦଲପୁର: ନବରଙ୍ଗପୁର ଜିଲ୍ଲାରେ ମଦ ବିରୋଧରେ ମହିଳାମାନଙ୍କ ଉଗ୍ର ଆନ୍ଦୋଳନ ଦେଖିବାକୁ ମିଳିଛି। ହାତରେ ଠେଙ୍ଗା ଧରି ଶତାଧିକ ମହିଳା ଗାଁ ଗାଁ ବୁଲିବା ସହ ଦେଶୀ ମଦ ଭାଟିରେ ପହଞ୍ଚି ମଦ ସାମଗ୍ରୀକୁ ବାହାରକୁ ଆଣି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ମଦ ବ୍ୟବସାୟୀଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛି।

ପାପଡାହାଣ୍ଡି ବ୍ଲକର ଧନସୁଲି ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ଗୁରୁବାର ପାପଡାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ନାରୀ ମହାସଂଘର ମହିଳାମାନେ ଏକତ୍ରିତ ହୋଇ ମଦର କୁପ୍ରଭାବ ନେଇ ଆଲୋଚନା କରିଥିଲେ। ପରେ ସେମାନେ ଠେଙ୍ଗା ଧରି ଗ୍ରାମ ପରିକ୍ରମା କରି ଧନସୁଲିରେ ଥିବା ଦେଶୀ ମଦ ଭାଟିକୁ ପହଞ୍ଚିଥିଲେ। ସେଠାରେ ଭାଟିରେ ତାଲା ପକାଇବା ସହ ବ୍ୟବହୃତ ସାମଗ୍ରୀକୁ ବାହାରକୁ ଆଣି ଜାଳି ଦେଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ନବରଙ୍ଗପୁର ଏଏସ୍‌ପି ଆଦିତ୍ୟ ସେନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ଭତ୍ରା ଓ ପାପଡାହାଣ୍ଡି ଅବକାରୀ ଅଧିକାରୀ ସମୀର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଲା ଖୋଲିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ମହିଳାମାନେ ନିଜ ଦାବିରେ ଅଡ଼ି ରହିଥିଲେ।

ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳରେ ଘରେ ଘରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାରୁ ପୁରୁଷ ଓ ଯୁବପିଢ଼ି ମଦାସକ୍ତିର ଶିକାର ହେଉଛନ୍ତି। ଏହାର ପରିଣାମ ସ୍ୱରୂପ ଘରୋଇ ହିଂସା, ଅସୁସ୍ଥତା ଓ ବିଧବା ସଂଖ୍ୟା ବୃଦ୍ଧି ପାଉଥିବା ସେମାନେ କହିଛନ୍ତି। ଏହି ସମସ୍ୟାକୁ ନେଇ ଗତ ୧୯ ତାରିଖରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ବନ୍ଦ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ।

ଏହାପୂର୍ବରୁ ୨୨ ତାରିଖରେ ତୁମ୍ବଲ୍ଲା ପଞ୍ଚାୟତର ଧନସୁଲି, ମହୁଲି, ହିର୍ଲି, ସିରାଗୁଡା ଓ ମାଝୀଗୁଡା ଗ୍ରାମର ଶତାଧିକ ମହିଳା ଦେଶୀ ମଦ ଭାଟି ବନ୍ଦ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଗୁରୁବାରର ଏହି ଆନ୍ଦୋଳନରେ ୨୦୦୦ରୁ ଅଧିକ ମହିଳା ଯୋଗ ଦେଇଥିବା ସୂଚନା ମିଳିଛି।