ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସଦରମହକୁମା ସାପ୍ତାହିକ ବଜାର ପରିସରରେ ନିର୍ମିତ ମିସନ ଶକ୍ତି କାଫେ ଦୀର୍ଘଦିନ ହେଲା ବନ୍ଦ ପଡ଼ି ରହିଛି। ନୂଆ ସରକାରଙ୍କ ଅବହେଳା ଯୋଗୁଁ ଏହି ପ୍ରକଳ୍ପ ଏବେ ଅଚଳ ହୋଇପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହେବାକୁ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲୋକମାନଙ୍କୁ ସୁସ୍ୱାଦୁ ଓ ସୁଲଭ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ପୂର୍ବତନ ସରକାର ଏହି ମିସନ ଶକ୍ତି କାଫେ ଆରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ତରବରିଆ ଭାବେ ଏହାର ନିର୍ମାଣ କରି ୨୦୨୩ ଅଗଷ୍ଟ ୧୪ରେ ଏହାର ଉଦ୍‌ଘାଟନ କରାଯାଇଥିଲା। ପରିଚାଳନା ଦାୟିତ୍ୱ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯାଇଥିଲା।

ପ୍ରଥମେ ନାଉଲିପଡାର ମା’ ରାଧାରାଣୀ ଏସ୍‌ଏଚ୍‌ଜି ଏହାର ଟେଣ୍ଡର ନେଇ କାଫେ ପରିଚାଳନା କରୁଥିଲେ। ସଂଘର ସଭାପତି ପ୍ରତିଭା ତ୍ରିପାଠୀଙ୍କ ନେତୃତ୍ୱରେ ସେଠାରେ ଜଳଖିଆ, ଟିଫିନ ଓ ମିଲ୍ସ ସହ ଲୋକପ୍ରିୟ ଖାଦ୍ୟ ଯୋଗାଇ ଦିଆଯାଉଥିଲା। କିନ୍ତୁ ପରେ ସେହି ସଂଘ ଏହାରୁ ଓହରିଯିବା ପରେ ଅନ୍ୟ ଏକ ମହିଳା ସଂଘକୁ ଦାୟିତ୍ୱ ଦିଆଯାଇଥିଲା। ସେମାନେ ମଧ୍ୟ କିଛିଦିନ ପରେ ପରିଚାଳନା ଛାଡ଼ି ଦେଇଥିଲେ।

ବର୍ତ୍ତମାନ କାଫେଟି ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଭିତରର ଆସବାବପତ୍ର ଓ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଏଣେତେଣେ ପଡ଼ି ନଷ୍ଟ ହେଉଛି। ଏହାର ନିକଟରେ ବ୍ଲକ ଅଫିସ, ତହସିଲ, ଥାନା, କୋର୍ଟ, ବିଇଓ ଅଫିସ, କୃଷି ଅଫିସ, ସୋସାଇଟି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସୁଛନ୍ତି। ତଥାପି ଲୋକମାନେ ମିସନ ଶକ୍ତି ମହିଳାମାନଙ୍କ ତିଆରି ଖାଦ୍ୟ ପାଇପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାର ପରିବର୍ତ୍ତନ ପରେ ଏହି ପ୍ରକଳ୍ପକୁ ରାଜନୈତିକ କାରଣରୁ ଅଣଦେଖା କରାଯାଉଛି। ବିଜେପି ସରକାର ୨୦୨୪ ଜୁନ୍ ୧୨ରୁ ଶାସନଭାର ନେଇଥିଲେ ମଧ୍ୟ ପ୍ରାୟ ଦୁଇ ବର୍ଷ ହେବାକୁ ଆସିଲାଣି, ଏହି କାଫେ ପୁନର୍ଜୀବିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି ଏହି ରାସ୍ତା ଦେଇ ବହୁ ଅଧିକାରୀ ଓ ନେତାମାନେ ଯାଉଥିଲେ ମଧ୍ୟ ସମସ୍ୟା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି।

ଏହାପରେ ମିସନ ଶକ୍ତି କାଫେ ମାଧ୍ୟମରେ ଆୟ କରିବାର ସ୍ୱପ୍ନ ଦେଖିଥିବା ମହିଳାମାନେ ଏବେ ନିରାଶ ହୋଇ ବସିଥିବା ବେଳେ କାଫେର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।