ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୪ତମ ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ଗ୍ରୀଷ୍ମକାଳୀନ ପାନୀୟ ‘ବେଲ ପଣା’ର ଭୂୟସୀ ପ୍ରଶଂସା କରିଛନ୍ତି। ଭାରତର ସମୃଦ୍ଧ ସାଂସ୍କୃତିକ ଓ ଖାଦ୍ୟ ସଂସ୍କୃତିର ଚର୍ଚ୍ଚା କରି ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ପ୍ରାନ୍ତର ନିଜସ୍ୱ ସ୍ୱତନ୍ତ୍ର ପାନୀୟ ରହିଛି, ଯାହା ସ୍ଥାନୀୟ ପରମ୍ପରା ଓ ଜୀବନଶୈଳୀକୁ ପ୍ରତିଫଳିତ କରିଥାଏ।

ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟର ଗ୍ରୀଷ୍ମକାଳୀନ ପାନୀୟ ବିଷୟରେ ଉଲ୍ଲେଖ କରି କହିଛନ୍ତି, “ଯଦି ଆପଣ ପଞ୍ଜାବ ଏବଂ ହରିୟାଣା ଯିବେ, ତେବେ ସେଠାରେ ସତେଜ ଲସି ଦ୍ୱାରା ଆପଣଙ୍କୁ ସ୍ୱାଗତ କରାଯିବ। ରାଜସ୍ଥାନ ଏବଂ ଗୁଜରାଟରେ ‘ଛାଛ’ ପ୍ରତିଦିନର ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥାଏ। ସେହିପରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବ ଉତ୍ତର ପ୍ରଦେଶରେ ‘ଛତୁଆ ସରବତ’ର ମୁକାବିଲା କରିବା ଭଳି କିଛି ନାହିଁ।”ଏହିକ୍ରମରେ ଓଡ଼ିଶାର ପରମ୍ପରାକୁ ସ୍ମରଣ କରି ସେ କହିଛନ୍ତି, “ଦକ୍ଷିଣ ଭାରତରେ ଲୋକେ ପାନକମ୍, ନୀର ମୋର ଏବଂ ସାମ୍ବାରର ମଜା ନେଉଥିବା ବେଳେ ଓଡ଼ିଶାରେ ‘ବେଲ ପଣା’ ସମସ୍ତଙ୍କର ପ୍ରିୟ ଗ୍ରୀଷ୍ମକାଳୀନ ପାନୀୟ ଅଟେ।” ଏହି ସମସ୍ତ ପାନୀୟ କେବଳ ଶରୀରକୁ ଶାନ୍ତି ଦେଇନଥାଏ, ବରଂ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଆହୁରି ମଜଭୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଗ୍ରୀଷ୍ମ ଋତୁ ଆମ୍ବ ବିନା ଅଧୁରା ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଦେଶର ପ୍ରସିଦ୍ଧ ଆମ୍ବ କିସମ ଯେପରିକି ଆଲଫାନ୍‌ସୋ, କେସର, ଦଶହରୀ ଏବଂ ଲଙ୍ଗଡ଼ା ବିଷୟରେ ଆଲୋଚନା କରିଥିଲେ। ଏଥିସହ ଭାରତୀୟ ଆମ୍ବକୁ ଗାଁରୁ ନେଇ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଦେଶର ଆମ୍ବ ଚାଷୀମାନଙ୍କର ନିଷ୍ଠା ଓ ପରିଶ୍ରମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।