ଭୁବନେଶ୍ବର: ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାରଙ୍କ ସମ୍ମୁଖରେ ନିଜର ଦୀର୍ଘ ଦିନର ଦାବି ଉପସ୍ଥାପନ କରି ଓଡ଼ିଶା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ୧୦ ଦିନିଆ ଚେତାବନୀ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଦାବି ପୂରଣ ନକରନ୍ତି, ତେବେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି।

ଶନିବାର ଅନୁଷ୍ଠିତ ସଂଘର କାର୍ଯ୍ୟକାରୀ କମିଟି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି ଯେ, ସରକାର ଯଦି ଏହି ସମୟ ସୀମା ମଧ୍ୟରେ କୌଣସି ପଦକ୍ଷେପ ନନିଅନ୍ତି, ତେବେ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ, ଯାହା ଦ୍ୱାରା ସମଗ୍ର ରାଜ୍ୟରେ ଘରୋଇ ବସ୍ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯିବ।

ବସ୍ ମାଲିକମାନଙ୍କ କହିବା ଅନୁଯାୟୀ, ଦିନକୁ ଦିନ ଗାଡ଼ି ଚଳାଚଳ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏତେ ବୃଦ୍ଧି ପାଇଲାଣି ଯେ ବର୍ତ୍ତମାନର ସ୍ଥିତିରେ ବସ୍ ଚଳାଇବା ସମ୍ଭବପର ହେଉନାହିଁ।ବସ୍ ଭଡ଼ାର ପୁନଃ ନିର୍ଦ୍ଧାରଣ ଓ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜରେ ବୃଦ୍ଧି ଏହି ଦାବିଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ଏକ ଆନୁଷ୍ଠାନିକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ।

ଓଡ଼ିଶାରେ ସାଧାରଣ ପରିବହନ ବ୍ୟବସ୍ଥା ବହୁ ମାତ୍ରାରେ ଘରୋଇ ବସ୍ ଉପରେ ନିର୍ଭରଶୀଳ। ଯଦି ଏହି ଧର୍ମଘଟ ହୁଏ, ତେବେ ରାଜ୍ୟର ହଜାର ହଜାର ଦୈନିକ ଯାତ୍ରୀ, ଚାକିରିଆ ଓ ଛାତ୍ରଛାତ୍ରୀ ଗଭୀର ସମସ୍ୟାର ସମ୍ମୁଖୀନ ହେବେ ଏବଂ ଜରୁରୀକାଳୀନ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।