ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଥିବା ନାମଗୁଡ଼ିକୁ ଆଧାର କରି ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହୋଇଛି।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା ୧୨୪(୨) ଅନୁଯାୟୀ ରାଷ୍ଟ୍ରପତି ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ଏହି ନିଯୁକ୍ତି କରିଛନ୍ତି।
ନୂତନ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଚଦେବ ଏବଂ ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ସାମିଲ ଅଛନ୍ତି। ସେହିପରି ବରିଷ୍ଠ ଆଇନଜୀବୀ ଭି. ସୁବ୍ରମଣି ମୋହନାଙ୍କୁ ମଧ୍ୟ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।
ଭି. ସୁବ୍ରମଣି ମୋହନାଙ୍କ ନିଯୁକ୍ତି ବିଶେଷ ଚର୍ଚ୍ଚାରେ ରହିଛି। ସେ କୌଣସି ନ୍ୟାୟିକ ପରିବାର ପୃଷ୍ଠଭୂମିରୁ ନ ଆସିଥିବାବେଳେ ଆଇନଜୀବୀ ଭାବେ ଦୀର୍ଘ ଅନୁଭବ ପରେ ସୁପ୍ରିମକୋର୍ଟ ବିଚାରପତି ପଦକୁ ପହଞ୍ଚିଛନ୍ତି। ୧୯୮୩ ମସିହାରେ କୋଏମ୍ବାଟୁର ସରକାରୀ ଆଇନ କଲେଜର ପ୍ରଥମ ବ୍ୟାଚ୍ରେ ସେ ଅଧ୍ୟୟନ ଆରମ୍ଭ କରିଥିଲେ।
ଏହା ସହ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ଗତ ୫ ମେ’ରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୩ରୁ ୩୭କୁ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରିଥିଲା। ଏହା ପାଇଁ ସମ୍ବନ୍ଧିତ ଆଇନରେ ସଂଶୋଧନ ନିମନ୍ତେ ସଂସଦର ପରବର୍ତ୍ତୀ ଅଧିବେଶନରେ ବିଲ୍ ଆଗତ କରାଯିବ।
ସରକାରୀ ମଞ୍ଜୁରୀ ଏବଂ ଆଇନଗତ ପ୍ରକ୍ରିୟା ପୂରଣ ପରେ ଭବିଷ୍ୟତରେ ଖାଲି ପଦବୀ ପାଇଁ କଲେଜିୟମ ନୂଆ ନାମ ସୁପାରିଶ କରିପାରିବ।




